ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ବିଧାନସଭା ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୬ ଜଣ ବିଜେପି ବିଧାୟକଙ୍କୁ ଆଜି ପଶ୍ଚିମବଙ୍ଗ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଶ୍ରୀ ଅଧିକାରୀଙ୍କ ସମେତ ବିଜେପି ବିଧାୟକ ଅଗ୍ନିମିତ୍ର ପାଲ, ମିହିର ଗୋସ୍ୱାମୀ, ବଙ୍କିମ ଘୋଷ, ତାପସୀ ମଣ୍ଡଳ ଓ ଶଙ୍କର ଘୋଷଙ୍କୁ ଚଳିତ ଅଧିବେଶନର ଅବଶିଷ୍ଟ ଅଂଶ ବା ୩୦ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକମାନେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଅଶାନ୍ତି ପାଇଁ ତୃଣମୂଳ କଂଗ୍ରେସ ସରକାରଙ୍କ ବିରୋଧରେ ଗୃହରେ ସ୍ଲୋଗାନ ଦେଇଥିଲେ। ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗରେ ବସି ନାରାବାଜି କରିଥିଲେ।
ଏହାପରେ ବାଚସ୍ପତି ବିମାନ ବାନାର୍ଜୀ ତୃଣମୂଳ କଂଗ୍ରେସ ବିଧାୟକ ଶୋଭନଦେବ ଚାଟାର୍ଜୀଙ୍କୁ ବିଜେପି ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଗତ କରିବାକୁ ଅନୁମତି ଦେଇଥିଲେ। ଏହାପରେ ବାଚସ୍ପତି ବିଜେପି ବିଧାୟକମାନଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ଉଲ୍ଲେଖଯୋଗ୍ୟ, ସ୍ଥାନୀୟ ତୃଣମୂଳ ନେତା ଶେଖ୍ ଶାଜାହାନ ଓ ତାଙ୍କ ‘ଗ୍ୟାଙ୍ଗ୍’ ସନ୍ଦେଶଖାଲିରେ ବଳପୂର୍ବକ ଅନେକ ଜମି ଦଖଲ କରିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରି ସନ୍ଦେଶଖାଲିରେ ବହୁ ସଂଖ୍ୟକ ମହିଳା ଗତ କିଛି ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ ମାସରୁ ଫେରାର ଥିବା ଶାଜାହାନଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..