ରିପୋର୍ଟ କାର୍ଡ / କଟକ
କୌଣସି ଅଭିଯୋଗ ସଂକ୍ରାନ୍ତରେ ପୋଲିସ କୁ ଫୋନ୍ କି ହ୍ବାଟ୍ସଆପ୍ ମେସେଜ୍ କଲେ ମାତ୍ର ୧୫ ମିନିଟରେ ପୋଲିସ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବ। ଅଭିଯୋଗର ତ୍ବରିତ ସମାଧାନ କରିବା ପାଇଁ କଟକ କମିସନରେଟ୍ ପୋଲିସ ଏକ ସ୍ବତନ୍ତ୍ର ନମ୍ବର ଜାରି କରିଛି। ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ଏହି ନମ୍ବର ପରିଚାଳିତ ହେବାକୁ ଯାଉଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ୍ ପୋଲିସ ୨୪ ଘଣ୍ଟିଆ ସହାୟତା ନମ୍ବର୍ ଜାରି କରିଛି। ଏହି ମୋବାଇଲ୍ ନମ୍ବର୍ ହେଉଛି ୭୯୭୮୮୯୪୪୦୫। ଏହା ୧୧୨ ସହାୟତା ନମ୍ବର୍ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରିବ। କୌଣସି ଅପରାଧିକ ତତ୍ତ୍ବଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଇ କିମ୍ବା ରାସ୍ତାରେ ଲୁଟେରା ଛିନତାଇ କଲେ, ସର୍ବସାଧାରଣରେ ବେଆଇନ ମଦ କାରବାର ସମ୍ପର୍କରେ ଏହି ନମ୍ବର ମାଧ୍ୟମରେ ସାଧାରଣ ଲୋକେ କିମ୍ବା ଅଭିଯୋଗକାରୀ ପୋଲିସ କୁ ସୂଚନା ଦେଇପାରିବେ। କଟକ ସହର ବାସିନ୍ଦା ଏହି ନମ୍ବର୍ରେ ଫୋନ୍ କରିବା ସହିତ ହ୍ବାଟ୍ସଆପ୍ରେ ମେସେଜ୍ ପଠାଇପାରିବେ। ଏହା ସିଧାସଳଖ କଣ୍ଟ୍ରୋଲ୍ ରୁମ୍ ସହିତ ଯୋଡ଼ି ହୋଇଥିବାରୁ ଏହି ତଥ୍ୟ ସଂଗ୍ରହ କରି ସେହି ଅନୁଯାୟୀ ପୋଲିସ ସହାୟତା ଯୋଗାଇ ଦିଆଯିବ। ୧୫ ମିନିଟ୍ ମଧ୍ୟରେ ଅଭିଯୋଗକାରୀଙ୍କୁ ପୋଲିସ ଯୋଗାଯୋଗ କରିବ। ୨୪ ଘଣ୍ଟା ମଧ୍ୟରେ ଏହାର ସମାଧାନ କରାଯିବ। ଏହି ନମ୍ବର୍କୁ ଆସିଥିବା ଫୋନ୍ ଓ ହ୍ବାଟ୍ସଆପ୍ ମେସେଜ୍ ଦୈନିକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସମୀକ୍ଷା କରିବେ। ଯଦି ୨୪ ଘଣ୍ଟା ମଧ୍ୟରେ କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ, ତେବେ ସମ୍ପୃକ୍ତ ବ୍ୟକ୍ତି ସିଧାସଳଖ ଶ୍ରୀ ମିଶ୍ରଙ୍କୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯୋଗାଯୋଗ କରିପାରିବେ। ରାସ୍ତାରେ ଘଟୁଥିବା ଅପରାଧ ଏବେ ପୁଲିସ ପାଇଁ ଅଧିକ ଚିନ୍ତାଜନକ ହୋଇଛି। କେଉଁ ଥାନାରେ ଅଭିଯୋଗକାରୀ ପହଞ୍ଚି ସେମାନଙ୍କ ଅଭିଯୋଗ ଦେବେ, ଏ ନେଇ ଅନେକ ସମୟରେ ଦ୍ବନ୍ଦ୍ବ ଥାଏ। ସେଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ କଟକ କମିସନରେଟ୍ ପୋଲିସ ଏଭଳି ଏକ ସହାୟତା ନମ୍ବର୍ ଜାରି କରିଛି। ସାଧାରଣ ଲୋକ ଏହି ନମ୍ବର୍ ମାଧ୍ୟମରେ ନିଜର ଅଭିଯୋଗ ଜଣାଇ ପୋଲିସ ସହାୟତା ତୁରନ୍ତ ପାଇବା ପାଇଁ ଏଡିସିପି ଅନୀଲ ମିଶ୍ର ଜନସାଧାରଣଙ୍କୁ ଅନୁରୋଧ କରିଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..