ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ବର
ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। ସେ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କ ଏହାର ବୋର୍ଡର ପୁନର୍ଗଠନ କରିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସ ଶ୍ରୀଧର, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗ ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରଜନୀ ଶେଖ୍ରି ଶିବଲଙ୍କୁ ସ୍ବାଧୀନ ନିର୍ଦ୍ଦେଶକ ଭାବେ ବୋର୍ଡରେ ସାମିଲ କରାଯାଇଛି। ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ବୋର୍ଡରେ ସାମିଲ ହୋଇଥିବା ଦେବେନ୍ଦ୍ରନାଥଙ୍କ ଘର ହେଉଛି ଓଡ଼ିଶାର କଟକରେ। ସେ ହେଉଛନ୍ତି ୧୯୭୭ ବ୍ୟାଚ୍ର ଜଣେ ତାମିଲନାଡୁ କ୍ୟାଡର୍ର ଆଇଏଏସ୍ ଅଧିକାରୀ। ତାମିଲନାଡ଼ୁ ସରକାରଙ୍କ ପାଇଁ ସେ ମୁଖ୍ୟ ସଚିବ ଓ ଆଠଟି ବିଭାଗର ପ୍ରମୁଖ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାମ କରିଛନ୍ତି। ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ କାରବାର ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଠୋର କଟକଣା ଲଗାଇଛନ୍ତି। ମାର୍ଚ୍ଚ ୧୫ ପରେ ବ୍ୟାଙ୍କ ଜମା ଓ ଅଗ୍ରୀମ କାରବାର କରିପାରିବ ନାହିଁ। ନିୟମ ପାଳନରେ ଅବହେଳା ପାଇଁ ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..