Report Card Odisha

| Daily Odia News

ଦୈନିକ ଶ୍ରେଣୀରେ ପଢାଇବେ ପ୍ରଧାନ ଶିକ୍ଷକ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ସବୁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ପାଠ ପଢାଉ ନାହାନ୍ତି। ଅଧିକାଂଶ ବିଦ୍ୟାଳୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନଶିକ୍ଷକ ପାଠ ପଢାଇବା ବଦଳରେ ପ୍ରଶାସନିକ କାର୍ଯ୍ୟ କରୁଥିବାରୁ ପାଠପଢାରୁ ଦୂରେଇ ରହୁଛନ୍ତି। ବିଭାଗର ଅଧିକାରୀ କ୍ଷେତ୍ର ପରିଦର୍ଶନ ବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ସୋମବାର ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ବଜାୟ ରଖିବା ପାଇଁ ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଦୈନିକ ଦୁଇଟି ଲେଖାଏଁ ଶ୍ରେଣୀରେ ପାଠ ପଢାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୧ ଏପ୍ରିଲ ୫ ତାରିଖରେ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଥିଲା। ପ୍ରଧାନଶିକ୍ଷକ ଦକ୍ଷ ଓ ଉଚ୍ଚଶିକ୍ଷିତ ହୋଇଥିବାରୁୁ ଅନ୍ତତଃ ଦୁଇଟି ଶ୍ରେଣୀରେ ପାଠ ପଢାଇବା ସହ ଅନ୍ୟ ଶିକ୍ଷକଙ୍କ ପାଠ ପଢା ଯାଞ୍ଚ କରିବାକୁ ସବୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପୁନର୍ବାର ୨୦୨୧ର ଏହି ନିର୍ଦେଶନାମା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତତଃ ପକ୍ଷେ ଦୈନିକ ଦୁଇଟି ଶ୍ରେଣୀରେ ପାଠ ପଢାଇବେ। ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

Breaking News