Report Card Odisha

| Daily Odia News

ନିର୍ବାଚନ ଇତିହାସରେ ପ୍ରଥମ:ଜବତ ହେଲାଣି ୪୬୫୦ କୋଟି…..

ରିପୋର୍ଟ କାର୍ଡ / ଭୁବନେଶ୍ବର/ନୂଆଦିଲ୍ଲୀ

ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ହେଲେ ଏପର୍ଯ୍ୟନ୍ତ ମତଦାନ ଆରମ୍ଭ ହୋଇନାହିଁ। କିନ୍ତୁ ଜବତ ହେଲାଣି ୪୬୫୮କୋଟି ଟଙ୍କା ମୂଲ୍ୟର ସାମଗ୍ରୀ। ୭୫ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ଏହା ହେଉଛି ସର୍ବାଧିକ। ଏପରିକି ୨୦୧୯ ସାଧାରଣ ନିର୍ବାଚନ ସମୟରେ ଯେତିକି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା ତାହାକୁ ବି ବର୍ତ୍ତମାନ ସୁଦ୍ଧା ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ଅତିକ୍ରମ କରିସାରିଲାଣି। ୨୦୧୯ ନିର୍ବାଚନ ବେଳେ ମୋଟ୍ ୩୪୭୫ କୋଟି ଟଙ୍କା ଜବତ ହୋଇଥିଲା। ଏଥର ଭୋଟ୍ ପଡ଼ିବା ପୂର୍ବରୁ ଏତେ ଟଙ୍କା ଜବତ ହୋଇଥିବା ବେଳେ ଭୋଟ ସରିବା ସମୟରେ ଏହି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଯେ ମାର୍ଚ୍ଚ ପହିଲାରୁ ଦିନକୁ ହାରାହାରି ୧୦୦ କୋଟି ଟଙ୍କା ମୂଲ୍ୟର ଅର୍ଥରାଶି ଓ ସାମଗ୍ରୀ ଜବତ ହେଉଛି। କେବଳ ଟଙ୍କା ନୁହେଁ ପ୍ରଚୁର ମଦ, ନିଶା ଦ୍ରବ୍ୟ, ସୁନା, ରୁପା ଭଳି ମୂଲ୍ୟବାନ ଧାତୁ ଓ ମାଗଣାରେ ବଣ୍ଟା ହେଉଥିବା ସାମଗ୍ରୀ ବି ଜବତ ହେଲାଣି। ଜବତ ସାମଗ୍ରୀ ମଧ୍ୟରେ ୪୫ ପ୍ରତିଶତ ହେଉଛି ଡ୍ରଗ୍ସ ଓ ଅନ୍ୟ ନିଶା ସାମଗ୍ରୀ। ଓଡ଼ିଶାରେ ନିର୍ବାଚନ ବିଜ୍ଞପ୍ତି ଜାରି ହୋଇନଥିଲେ ମଧ୍ୟ ନଗଦ ୧କୋଟି ୪୭ଲକ୍ଷ ଟଙ୍କା ଜବତ ହୋଇସାରିଲାଣି। ମାର୍ଚ୍ଚ ୧ରୁ ଏପ୍ରିଲ ୧୩ ମଧ୍ୟରେ ରାଜ୍ୟରେ ନଗଦ ଟଙ୍କାକୁ ମିଶାଇ ୧୦୭କୋଟି ୧୩ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ ହୋଇସାରି‌ଲାଣି। ତେବେ ଜବତ ଟଙ୍କା ଓ ସାମଗ୍ରୀ କ୍ଷେତ୍ରରେ ରାଜସ୍ଥାନ ଶୀର୍ଷରେ ରହିଛି। ସେଠାରେ ୭୭୮ କୋଟି ଜବତ ହୋଇଥିବା ବେଳେ ଗୁଜରାଟରେ ୬୦୫ କୋଟି ଏବଂ ତାମିଲନାଡ଼ୁରେ ୪୬୦ କୋଟି ଜବତ ହୋଇଛି। ତାଲିକାରେ ଓଡ଼ିଶାର ସ୍ଥାନ ୧୫ରେ ରହିଛି। ଓଡ଼ିଶାରେ ଜବତ ୧୦୭ କୋଟି ମଧ୍ୟରେ ରହିଛି ନଗଦ ୧ କୋଟି ୪୭ ଲକ୍ଷ ଟଙ୍କାର ଅର୍ଥରାଶି। ଏହାସହିତ ୧୬ କୋଟି ଟଙ୍କାର ମଦ, ୩୯ କୋଟି ଟଙ୍କାର ଡ୍ରଗ୍ସ ଏବଂ ୬ କୋଟି ୪୬ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ ମଧ୍ୟ ଜବତ କରାଯାଇଛି। ପ୍ରାୟ ୪୪ କୋଟି ଟଙ୍କାର ମାଗଣାରେ ବଣ୍ଟା ଯିବାକୁ ଥିବା ଉପହାର ସାମଗ୍ରୀ ଜବତ କରାଯାଇଛି।

Breaking News