Report Card Odisha

| Daily Odia News

ବାପାମା’ଙ୍କୁ ମାରି ପୋତି ଦେଲା ପୁଅ…..

ରିପୋର୍ଟ କାର୍ଡ / ବାଲେଶ୍ଵର

ଜମିବାଡ଼ି ବିବାଦରୁ ବୃଦ୍ଧ ବାପାମା’ଙ୍କୁ ମାରି ପୋତି ଦେଇଛି ନୃଶଂସ ପୁଅ। ପ୍ରମାଣ ନଷ୍ଟ କରିବା ପାଇଁ ଘର ଆଗରେ ଥିବା ଜାଗା ଖୋଳି ଶବ ପୋତି ଦେଇଥିଲା। ଖବର ପାଇ ପୋଲିସ ଖୋଳାଖୋଳି କରି ବୃଦ୍ଧଙ୍କ ଶବ ଉଦ୍ଧାର କରିଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହର ପତ୍ତା ମିଳିନି। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଘଟିଛି। ବୃଦ୍ଧ ଦମ୍ପତି ହେଲେ ୯୦ ବର୍ଷୀୟ ବୁଲେଇ ବେହେରା ଓ ତାଙ୍କ ପତ୍ନୀ ୭୫ ବର୍ଷୀୟା ଚମ୍ପା ବେହେରା । ଉଭୟଙ୍କୁ ସେମାନଙ୍କ ପୁଅ ରମେଶ ବେହେରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ୪ ଦିନ ହେଲା ବାପାମା’ଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରମେଶ ବେହେରାଙ୍କର ମଧ୍ୟ ଖୋଜଖବର ମିଳୁ ନ ଥିବାରୁ ଏପରି ନାରକୀୟ କାଣ୍ଡ ଘଟାଇ ସେ ଫେରାର ହୋଇ ଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଗତକାଲି ପୋଲିସ ବୁଲେଇ ବେହେରାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସ୍ଥାନରେ ଖୋଳା ଯାଇ ହଳ ବୁଲା ଯାଇଥିବା ଦେଖିବାକୁ ପାଇଥିଲା। ସେଠାରେ ମୃତଦେହ ପୋତା ଯାଇଥିବା ସନ୍ଦେହ ହେବାରୁ ଗତ ରାତିରେ ଉକ୍ତ ଜାଗାକୁ ପୋଲିସ ଜଗି ରହିଥିଲା। ଆଜି ସକାଳେ ମାଜିଷ୍ଟ୍ରେଟ ସନ୍ଦୀପ ଶୁଭଦର୍ଶନ ଭୋଳ, ସିମୁଳିଆ ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ, ସାଇଣ୍ଟିଫିକ୍‌ ଟିମ୍‌ଙ୍କ ଉପସ୍ଥିତିରେ ଖୋଳତାଡ଼ ଆରମ୍ଭ ହୋଇଛି। ବହୁ ସମୟ ଖୋଳାଖୋଳି ପରେ ମାଟି ତଳୁ ବୁଲେଇଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏହାପରେ ଚମ୍ପାଙ୍କ ମୃତଦେହ ଉଦ୍ଧାର ପାଇଁ ବି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ପାଖରେ ଏକ ପୋଖରୀ ଥିବାରୁ ସେଠାରେ ବୃଦ୍ଧାଙ୍କ ମୃତଦେହ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇ ସେଠାରେ ଖୋଜାଖୋଜି କରାଯିବ ବୋଲି ପୋଲିସ ଅଧିକରୀ ସୂଚନା ଦେଇଛନ୍ତି। ତେବେ ଏଯାଏ ରମେଶଙ୍କ ପତ୍ତା ମିଳୁ ନ ଥିବାରୁ ବାପାମା’ଙ୍କ ହତ୍ୟା ପରେ ସେ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି। ତାଙ୍କୁ ଖୋଜି ଗିରଫ କରିବାକୁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି।ସୂଚନା ଅନୁଯାୟୀ, ରମେଶ ମଦ ଓ ଗଞ୍ଜେଇ ବେପାର କରୁଥିବା ବେଳେ ନିଜେ ବି ସବୁବେଳେ ନିଶାସକ୍ତ ରହୁଥିଲେ। ଏଥିସହ ଜମିଜମା ବିବାଦକୁ ନେଇ ରମେଶଙ୍କର ନିଜ ଭଉଣୀମାନଙ୍କ ସହ ସମ୍ପର୍କ ବିଗିଡ଼ି ଯାଇଥିଲା। ରମେଶ ସବୁବେଳେ ନିଶାସକ୍ତ ରହୁଥିବାରୁ ତାଙ୍କ ପତ୍ନୀ ଓ ପିଲାମାନେ ବି ପ୍ରାୟ ୧୭ ବର୍ଷ ହେବ ଘର ଛାଡ଼ି ଚାଲି ଯାଇଛନ୍ତି।ଏହାପରେ ସେ ସବୁବେଳେ ନିଜ ବାପାମା’ଙ୍କୁ ମାରଧର କରୁଥିବା ବେଳେ ଜମିଜମା ପାଇଁ ସବୁବେଳେ ପରିବାରରେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ସେ ନିଜ ବାପାମା’ଙ୍କୁ ହତ୍ୟା କରିଥିବା ଗାଁ ଲୋକେ ତଥା ରମେଶଙ୍କ ଭଉଣୀମାନେ ପୋଲିସକୁ ସୂଚନା ଦେଇଛନ୍ତି।

Breaking News