Report Card Odisha

| Daily Odia News

ଭୋଲେ ବାବାଙ୍କ ନାଁରେ ଆସିଲା ଯୌନ ଶୋଷଣ ଅଭିଯୋଗ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ହାଥରସରେ ସତସଙ୍ଗ ସମୟରେ ୧୨୧ଜଣଙ୍କର ମୃତ୍ୟୁ ଘଟିଛି। ଏହି ସତସଙ୍ଗ ବାବା ନାରାୟଣ ସାକାର ବିଶ୍ୱ ହରି ଓରଫ ଭୋଲେ ବାବାଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା। ଦୁର୍ଘଟଣା ପରେ ବାବା ଫେରାର ଥିବା ଜଣାପଡ଼ିଛି। ପୋଲିସ ଏବେ ତାଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ତେବେ ବାବା ହେବା ପୂର୍ବରୁ, ଏହି ଭୋଲେ ବାବା ଉତ୍ତରପ୍ରଦେଶ ପୋଲିସରେ ଜଣେ କନଷ୍ଟେବଳ ଥିଲେ। ଯୌନ ଶୋଷଣର ଆରୋପ ଲାଗିବା ପରେ ତାଙ୍କୁ ପୋଲିସ ଚାକିରିରୁ ବରଖାସ୍ତ କରାଯାଇଥିଲା। ହେଲେ ସେ ନିଜ ଭକ୍ତମାନଙ୍କ ଆଗରେ ଦାବି କରୁଥିଲେ ଯେ ସେ ସ୍ବଇଚ୍ଛାରେ ଚାକିରିରୁ ଇସ୍ତଫା ଦେଇଥିଲେ। ସୂଚନା ମୁତାବକ, ଭୋଲେ ବାବାଙ୍କ ଅସଲ ନାମ ସୁରଜପାଲ ସିଂହ। ସେ କାସଗଞ୍ଜ ଜିଲ୍ଲାରେ ଥିବା ବାହାଦୂର ନଗର ଗାଁର ବାସିନ୍ଦା। ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିବା ୫୮ବର୍ଷିୟ ସୁରଜପାଲ ସିଂଙ୍କର ତିନି ଭାଇ ଥିଲେ। ତାଙ୍କର ବଡ ଭାଇଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କ ସାନଭାଇ ରାକେଶ ଏବେ ମଧ୍ୟ ଗାଁରେ ରୁହନ୍ତି ଏବଂ ଚାଷ କରନ୍ତି। ତେବେ ମଙ୍ଗଳବାର ଦଳଚକଟା ଘଟଣାରେ ୧୨୧ଜଣକ ମୃତ୍ୟୁ ହୋଇଥିବା ବେଳେ ଏବେ ବାବାଙ୍କ ପୁରୁଣା ଇତିହାସ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପୂର୍ବତନ ପୁଲିସ ମୁଖ୍ୟ (ଡିଜିପି) ପ୍ରକାଶ ସିଂ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ବାବାଙ୍କ ବିରୋଧରେ ୫-୬ଟି ମାମଲା ରୁଜୁ ହୋଇଛି। ଏଥିରେ ଯୌନ ଶୋଷଣ ମାମଲା ବି ରହିଛି। ଏବେ ଏଭଳି ଘଟଣା ଘଟିବା ପରେ ତାଙ୍କ ଅତୀତକୁ ନେଇ ଅଧିକ ଯାଞ୍ଚ ହେବା ଜରୁରୀ।

Breaking News