ରିପୋର୍ଟ କାର୍ଡ / ଗଜପତି
ନିର୍ବାଚନ ଲଢ଼ି ସରପଞ୍ଚ ମଧ୍ୟ ହୋଇଥିଲେ। ୨୦୧୧ରେ ମଧ୍ୟ ଥରେ ସରପଞ୍ଚ ଭାବେ ୫ ବର୍ଷ କାର୍ଯ୍ୟ କରିଥିଲେ। କିନ୍ତୁ ଓଡ଼ିଆରେ ଲେଖିବା ତାଙ୍କୁ ଜଣା ନଥିଲା। ଏଥିପାଇଁ ତାଙ୍କୁ ସରପଞ୍ଚ ପଦ ହରାଇବାକୁ ପଡ଼ିଛି। ଜେଏମଏଫସି କୋର୍ଟ ବିଚାରପତି ଶୁଭଜିତ ବେହେରା ଏପରି ଏକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟର ସରପଞ୍ଚ କନକଲତା ପାଲଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି କୋର୍ଟ। ସେ ଓଡ଼ିଆରେ ଲେଖିବା ଅକ୍ଷମ ହେବାରୁ ତାଙ୍କ ବିରୋଧରେ କୋର୍ଟ ରାୟ ଦେଇଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ କନକଲତା ପାଲ ସରପଞ୍ଚ ଭାବେ ନିର୍ବାଚନ ଜିତିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କ ଠାରୁ ପରାଜିତ ହୋଇଥିବା ଲଳିତା ବଡରଇତ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କନକଲତା ଓଡ଼ିଆରେ ଲେଖାଲେଖି ଜାଣି ନଥିବାରୁ ତାଙ୍କ ବିରୋଧରେ ଲଳିତା ଗତ ୨୦୨୨ ମସିହାରେ ମୋହନା ଜେଏମଏଫସି କୋର୍ଟ ରେ ଅଭିଯୋଗ କରିଥିଲେ। ସେବେଠାରୁ ମାମଲାର ଶୁଣାଣି ଚାଲିଥିଲା। ବିଭିନ୍ନ ଲୋକଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଆଜି ସରପଞ୍ଚ କନକଲତା ପାଲଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ତାଙ୍କୁ ସରପଞ୍ଚ କାର୍ଯ୍ୟାଳୟରୁ ବେଦଖଲ କରିଛନ୍ତି। ଖାଲି ସେତିକି ନୁହେଁ, କୋର୍ଟ ପଞ୍ଚାୟତରେ ପୁନଃ ସରପଞ୍ଚ ନିର୍ବାଚନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ପରେ କନକଲତା ପାଲ୍ କହିଛନ୍ତି, “ମୁଁ ୧୫୫୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲି। ମୋ ପ୍ରତିପକ୍ଷ ୫୦୦ ଭୋଟ ପାଇଥିଲେ। ହେଲେ ସେ ମୋ ବିରୋଧରେ ପିଟିସନ ଦାଖଲ କରିଥିଲେ। ମୁଁ ଓଡ଼ିଆରେ କଥାବାର୍ତ୍ତା ହେବା ସହ ଓଡ଼ିଆ ଲେଖାକୁ ପଢ଼ି ପାରୁଛି। କିନ୍ତୁ ଲେଖାଲେଖିରେ ସେତେଟା ଅଭ୍ୟାସ ନାହିଁ। ଏହାପୂର୍ବରୁ ମଧ୍ୟ ମୁଁ ୨୦୧୧ରୁ ସରପଞ୍ଚ ଥିଲି। ସେତେବେଳେ ପୂରା ୫ ବର୍ଷ ମୁଁ ସବୁ କାମ କରିଥିଲି। ଓଡ଼ିଆ ଜାଣି ନଥିଲେ କେମିତି ୫ ବର୍ଷ କାର୍ଯ୍ୟ କରୁଥିଲି? ଟ୍ରାଏଲ କୋର୍ଟ ମୋ ବିରୋଧରେ ରାୟ ଦେଇଛନ୍ତି। ଏହା ବିରୋଧରେ ମୁଁ ହାଇକୋର୍ଟ ଯିବି।” ଆବେଦନକାରୀ ଲଳିତାଙ୍କ ଓକିଲ ସନ୍ତୋଷ କୁମାର ପାଢ଼ୀ କହିଛନ୍ତି, “ନିର୍ବାଚନ ପରେ ଲଳିତା ବିଜୟୀ ହୋଇଥିବା କନକଲତା ପଢ଼ା ଲେଖା ଜାଣି ନଥିବା ଅଭିଯୋଗ କରି ପ୍ରଥମେ ନିର୍ବାଚନ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ। କିନ୍ତୁ ଏହା ଖାରଜ ହୋଇଯିବାରୁ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ। କୋର୍ଟ ସମସ୍ତ ସାକ୍ଷୀ ପ୍ରମାଣକୁ ବିଚାରକୁ ନେଇଥିଲେ। କୋର୍ଟରେ ମଧ୍ୟ ପରୀକ୍ଷା ହୋଇଥିଲା। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ କନକଲତା ପଢ଼ି ପାରୁଥିବା ବେଳେ ଲେଖିବାକୁ ସକ୍ଷମ ନୁହନ୍ତି। ତେଣୁ ବିଚାରପତି ଶୁଭଜିତ ବେହେରା ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥସହ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।”






More Stories
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..