Report Card Odisha

| Daily Odia News

ହଙ୍ଗାମା ମଧ୍ୟରେ ସଂସଦ ଅଧିବେଶନ ଶେଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଷ୍ଟାଦଶ ଲୋକସଭା ସାଧାରଣ ନିର୍ବାଚନ ପରେ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍୨୪ରେ ଓ ରାଜ୍ୟସଭାର ୨୬୪ତମ ଅଧିବେଶନ ଜୁନ ୨୭ ତାରିଖରେ ଆରମ୍ଭ ହୋଇଥିଲା। ମଙ୍ଗଳବାର ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିବା ବେଳେ ବୁଧବାର ଅର୍ଥାତ୍ ଜୁଲାଇ ୩ରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଲୋକସଭା ନିର୍ବାଚନ ପରେ ଆରମ୍ଭ ହୋଇଥିବା ସଂସଦର ପ୍ରଥମ ଅଧିବେଶନ ହଙ୍ଗାମା ମଧ୍ୟରେ ଶେଷ ହୋଇଛି। ସଂସଦର ଏହି ଅଧିବେଶନରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ବିବାଦ ଦେଖାଦେଇଥିବା ବେଳେ ବିରୋଧୀ ଦଳଙ୍କ ଲଗାତାର ହଟ୍ଟଗୋଳ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ତାଙ୍କ ବୟାନ ରଖିଥିଲେ। ପ୍ରଧାନମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ରାଜ୍ୟସଭାରେ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଛନ୍ତି। ସମ୍ବିଧାନ ଉଲ୍ଲଂଘନ ଅଭିଯୋଗ ଆଣି ବିରୋଧୀ ସାଂସଦମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଶାସକ ଏନ୍‌ଡିଏ ମେଣ୍ଟର ସାଂସଦମାନେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ଦଳମାନେ ସମ୍ବିଧାନ ଭଳି ପ୍ରସଙ୍ଗରେ କିଭଳି ‘ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ କାମ କରିଛନ୍ତି ଓ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି’ ତାହାକୁ ଅସ୍ତ୍ର କରିଥିଲେ। ଅଧିବେଶନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳଙ୍କ ଟାର୍ଗେଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶାସକ ଦଳର ଆକ୍ରମଣର କେନ୍ଦ୍ରବିନ୍ଦୁ ଥିଲେ। ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧୀ ତାଙ୍କ ୯୦ ମିନିଟର ଅଭିଭାଷଣରେ ଭଗବାନ ଶିବ ଏବଂ ତାଙ୍କ ଅଭୟ ମୁଦ୍ରା ବିଷୟରେ ଉଲ୍ଲେଖ କରି ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ରାହୁଲ ତାଙ୍କ ଅଭିଭାଷଣରେ କୃଷକ, ସୈନିକ, ଅଗ୍ନିବୀର ଭଳି ଅନେକ ପ୍ରସଙ୍ଗ ଉଠାଇଥିଲେ। ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କର ଉତ୍ତର ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟ ମଧ୍ୟ ଆକ୍ରମଣାତ୍ମକ ଥିଲା। ରାହୁଲଙ୍କ ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ‘ବାଳକ ବୁଦ୍ଧି’ ବୋଲି କହିବା ସହ ସେ ଜାମିନରେ ଥିବା କଥା ଉଲ୍ଲେଖ କରି ତାଙ୍କ ବିରୋଧରେ ରୁଜୁ ହୋଇଥିବା ବିଭିନ୍ନ ମାମଲା ସଂପର୍କରେ କହିଥିଲେ। ତାଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା ଓ ସ୍ଲୋଗାନବାଜି କରିଥିଲେ। ବୁଧବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପରେ ବାଚନିକ ଭୋଟରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା। ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ପରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

Breaking News