ରିପୋର୍ଟ କାର୍ଡ / କଟକ
ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ବରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରି କି ବ୍ୟାବସାୟିକ ଉଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରଜତ କୁମାର ସାହୁଙ୍କ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ପୁରୀ ପୌରସଂସ୍ଥାକୁ ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ମଧ୍ୟ ନ୍ୟାୟାଳୟ ଆଦେଶରେ ସ୍ପଷ୍ଟ କରିଛନ୍ତି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ଷ୍ଟଲ୍ ଖୋଲିବା ଲାଗି ଟେଣ୍ଡର କରାଯାଇଥିଲା। ଏହାକୁ ବିରୋଧ କରି ଆବେଦନକାରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁରୀକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିବାରୁ ଏହା ପାର୍ଶ୍ବରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ। ରାଜପଥ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ଅସ୍ଥାୟୀ ନିର୍ମାଣ ବା ବ୍ୟାବସାୟିକ ଷ୍ଟଲ ଖୋଲାଯାଇପାରିବ ନାହିଁ ବୋଲି ନିୟମ ରହିଥିବା ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ପକ୍ଷ ରଖିବାକୁ ଯାଇ ପୁରୀ ପୌରସଂସ୍ଥା ପକ୍ଷରୁ ମଙ୍ଗଳବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। କୌଣସି ପ୍ରକାର ଅସ୍ଥାୟୀ ଷ୍ଟଲ ବା ନିର୍ମାଣ କରାଯିବ ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ନ୍ୟାୟାଳୟ ସତ୍ୟପାଠକୁ ଗ୍ରହଣ କରିବା ସହିତ ମାମଲାର ଅନ୍ତ ଘଟାଇଛନ୍ତି।






More Stories
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..