Report Card Odisha

| Daily Odia News

ବଜେଟ୍‌ରେ ଓଡ଼ିଶା ପାଇଁ କିଛି ନାହିଁ:ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ବଜେଟ୍‌ରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ନିର୍ବାଚନ ସମୟରେ ବିଜେପିର ନେତାମାନେ ଓଡ଼ିଶାବାସୀଙ୍କୁ ବହୁ ବଡ଼ ବଡ଼ କଥା କହିଥିଲେ। ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ଏକ ସ୍ବତନ୍ତ୍ର ରାଜ୍ୟ ବର୍ଗ ମାନ୍ୟତା ଦିଆଯିବ ବୋଲି ଉଲ୍ଲେଖ କରିଥିଲା। ମାତ୍ର ବଜେଟ୍‌ରେ ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି, ଓଡ଼ିଶା ପାଇଁ କିଛି ନାହିଁ। ଏହାସହ କେନ୍ଦ୍ର ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଥିବା କୋଇଲା ରୟାଲ୍‌ଟିରେ ସଂଶୋଧନ ଦାବିକୁ ମଧ୍ୟ ଏଥର ପ୍ରତ୍ୟାଖ୍ୟାନ କରାଯାଇଛି। ଏଥିପାଇଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟିର ରାଜସ୍ବ ହରାଇବ। ସେହିପରି ନିର୍ବାଚନ ପ୍ରଚାର ସମୟରେ କୃଷି, ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପକୁ ନେଇ ରାଜ୍ୟବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା। ଚଳିତ ବଜେଟ୍‌ରେ ଏସବୁ ପ୍ରତିଶ୍ରୁତି ପୂରଣ ହେବା ଲାଗି କିଛି ଉଲ୍ଲେଖ ନାହିଁ। ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଅବହେଳା କରିଛନ୍ତି। ଓଡ଼ିଶା ବନ୍ୟା ବାତ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ବିପର୍ଯ୍ୟୟ ପରିଚାଳନା ପାଇଁ ଆମେ ଏକ ସ୍ବତନ୍ତ୍ର ପ୍ୟାକେଜ୍ ପାଇଁ ଅନୁରୋଧ କରିଥିଲୁ। ଅନ୍ୟ ରାଜ୍ୟଗୁଡ଼ିକର ସମାନ ଅନୁରୋଧକୁ ବିଚାର କରାଯାଇ ସେମାନଙ୍କୁ ବନ୍ୟା ସୁରକ୍ଷା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଯାଇଛି। ମାତ୍ର ଓଡ଼ିଶାର ପ୍ରକୃତ ଦାବିକୁ ବିଚାର କରାଯାଇନାହିଁ। କୋଇଲା ରୟାଲ୍‌ଟିର ସଂଶୋଧନ ହେଉ ବା ସ୍ବତନ୍ତ୍ର ପ୍ୟାକେଜ୍ କ୍ଷେତ୍ରରେ ଏନ୍‌ଡିଏ ଦ୍ବାରା ଓଡ଼ିଶା ଅବହେଳିତ ହୋଇଚାଲିଛି। ସାଧାରଣ ଜନତା ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ବଜେଟ୍‌ରେ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷରେ ପୋଲାଭରମ୍‌କୁ ନେଇ ଆମେ ଲଢ଼େଇ କରିଆସୁଛୁ। ହେଲେ ଓଡ଼ିଶାର ଅଭିଯୋଗକୁ ସମାଧାନ ନ କରି ପୋଲାଭରମ ପାଇଁ ଅଧିକରୁ ଅଧିକ ପାଣ୍ଠି ବ୍ୟୟବରାଦ କରିବା ଓଡ଼ିଶା ପ୍ରତି ପକ୍ଷପାତିତାକୁ ଦର୍ଶାଉଛି। ବିଗତ ୧୦ବର୍ଷ ଧରି ଏନ୍‌ଡିଏ କେନ୍ଦ୍ରରେ କ୍ଷମତାରେ ରହିଛି। ପ୍ରତି ବଜେଟ୍‌ ସମୟରେ ଓଡ଼ିଶା ସମେତ ପୂର୍ବ ଭାରତକୁ ଗୁରୁତ୍ବ ଦିଆଯାଉଥିବା କୁହାଯାଉଛି। ମାତ୍ର ଏହି ସମୟରେ ଓଡ଼ିଶା ପାଇଁ ବିଶେଷ କିଛି ବ୍ୟବସ୍ଥା ନାହିଁ। ଚଳିତ ବଜେଟ ଓଡ଼ିଶାକୁ ନିରାଶ କରିଛି। ତେବେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ଏହା ଉପରେ ସବିଶେଷ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ।

Breaking News