ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ସହିତ ସେ ଅନ୍ୟ ୧୦ ରାଜ୍ୟରେ ରାଜ୍ୟପାଳଙ୍କ ନୂତନ ନିଯୁକ୍ତି ମଧ୍ୟ ଘୋଷଣା କରିଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିସାନରାଓ ବାଗଡେ ନିଯୁକ୍ତ ହୋଇଛନ୍ତି। ତେଲୁଙ୍ଗାନାର ରାଜ୍ୟପାଳ ଭାବେ ଜିଷ୍ଣୁ ଦେବ ବର୍ମା ନିଯୁକ୍ତ ହୋଇଛନ୍ତି। ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସନ୍ତୋଷ କୁମାର ଗାଙ୍ଗୱରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଛତିଶଗଡର ରାଜ୍ୟପାଳ ଭାବେ ରାମେନ ଡେକା ନିଯୁକ୍ତ ହୋଇଛନ୍ତି। ସିଏଚ୍ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ତଥା ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ସିପି ରାଧାକୃଷ୍ଣନ୍ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଆସାମର ରାଜ୍ୟପାଳ ଥିବା ଗୁଲାବ ଚାନ୍ଦ କାଟରିଆଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସିକ୍କିମର ରାଜ୍ୟପାଳ ଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆସାମର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ଏବଂ ତାଙ୍କୁ ମଣିପୁରର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ,୮୩ ବର୍ଷ ବୟସ୍କ ବନୱାରିଲାଲ ପୁରୋହିତ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ରାଷ୍ଟ୍ରପତିଙ୍କୁ ଏକ କ୍ଷୁଦ୍ର ଚିଠିରେ ଫେବୃଆରୀରେ ଇସ୍ତଫା ଦେଇଥିଲେ। ପୁରୋହିତ ତାଙ୍କ ଚିଠିରେ କହିଥିଲେ, ବ୍ୟକ୍ତିଗତ କାରଣ ଏବଂ ଅନ୍ୟାନ୍ୟ କିଛି କାରଣ ଯୋଗୁଁ ମୁଁ ରାଜ୍ୟପାଳ ଏବଂ ପ୍ରଶାସକ ପଦରୁ ଇସ୍ତଫା ଦେଉଛି, ଦୟାକରି ଗ୍ରହଣ କରନ୍ତୁ। ତାମିଲନାଡୁର ରାଜ୍ୟପାଳ ଭାବରେ ଚାରି ବର୍ଷ କାର୍ଯ୍ୟ କରିବା ପରେ ପୁରୋହିତ ସେପ୍ଟେମ୍ବର ୨୦୨୧ ରେ ପଞ୍ଜାବର ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ପଞ୍ଜାବରେ ତାଙ୍କର କାର୍ଯ୍ୟକାଳରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ସହ ବାରମ୍ବାର ବିବାଦ ହୋଇଆସୁଥିଲା, ବିଶେଷ କରି ପଞ୍ଜାବ ରାଜ ଭବନଙ୍କ ବିଭିନ୍ନ ଆଇନ ଅନୁମୋଦନକୁ ନେଇ ବିବାଦ ସୃଷ୍ଟି ହେଉଥିଲା। ଯେତେବେଳେ ରାଜ୍ୟପାଳ ପୁରୋହିତ ସ୍ପଷ୍ଟୀକରଣ ମାଗୁଥିଲେ, ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଏବଂ ସରକାରୀ ମୁଖପାତ୍ରଙ୍କ ସମେତ ଆପ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ସେମାନେ ବାରମ୍ବାର ପୁରୋହିତଙ୍କୁ ବିଜେପି ଦ୍ୱାରା ପ୍ରଭାବିତ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….