ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ନିତି ଆୟୋଗ ବୈଠକ ନେଇ ରାଜନୀତି ସରଗରମ ହୋଇଛି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଉପେକ୍ଷା ଅଭିଯୋଗ ଆଣି ବିରୋଧୀ ଦଳ ନେତାମାନେ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ମମତାଙ୍କୁ ଅପମାନ ଗ୍ରହଣୀୟ ନୁହେଁ ବୋଲି କହିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜୟରାମ ଏକ ବୟାନରେ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ନିତି ଆୟୋଗ ସ୍ଥାପିତ ହେବା ପରଠାରୁ ଏହା ପିଏମ୍ମଓର ଏକ ସଂଯୁକ୍ତ କାର୍ଯ୍ୟାଳୟ ଭାବେ କାମ କରୁଛି ଏବଂ ଦେଶର ସଂଘୀୟ ବ୍ୟବସ୍ଥାକୁ ଏହା କୌଣସି ଉପାୟରେ ସମୃଦ୍ଧ କରୁନାହିଁ। ଏହାର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ପକ୍ଷପାତପୂର୍ଣ୍ଣ ଏବଂ ଏହା ରାଜ୍ୟମାନଙ୍କର ଅଧିକାରକୁ ସମୁଚିତ ଗୁରୁତ୍ବ ଦେଉନାହିଁ। ଏହି ବୈଠକ ପ୍ରହସନ ପାଲଟିଛି ଏବଂ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଯେଭଳି ବ୍ୟବହାର ହେଲା ତାହା ଗ୍ରହଣୀୟ ନୁହେଁ ବୋଲି ରମେଶ ତାଙ୍କ ବୟାନରେ କହିଛନ୍ତି। ଏହାର ଜବାବରେ ସୀତାରମଣ କହିଛନ୍ତି ଯେ ରମେଶ ବୈଠକରେ ଉପସ୍ଥିତ ନଥିଲେ ଏବଂ ବୈଠକକୁ ନେଇ କେବଳ ମିଥ୍ୟା ଦାବି କରୁଛନ୍ତି। ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆବଣ୍ଟିତ ପୂରା ସାତ ମିନିଟ୍ ବ୍ୟବହାର କରି ମମତା ତାଙ୍କ ବକ୍ତବ୍ୟ ରଖିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଅନୁରୋଧକ୍ରମେ ଅତିରିକ୍ତ ସମୟ ଦିଆଯାଇଥିଲା। ଜୟରାମ ରମେଶ ସେଠାରେ ନଥାଇ ମଧ୍ୟ କେବଳ ଅନର୍ଥ ପାଇଁ ବୟାନବାଜି କରୁଛନ୍ତି। ସୀତାରମଣ କହିଛନ୍ତି, ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା ଶୁଣିଥିଲୁ । କୌଣସି ମୁଖ୍ୟମନ୍ତ୍ରୀଙ୍କ ମାଇକ୍ ବନ୍ଦ କରାଯାଇ ନଥିଲା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ କୌଣସି ବିଭ୍ରାଟ ହୋଇନାହିଁ। ସଂପୂର୍ଣ୍ଣ ପାରିଦର୍ଶିତାର ସହ ହୋଇଥିବା ଏହି ବୈଠକକୁ ନେଇ ମନଗଢ଼ା ବୟାନ ଦିଆଯାଉଛି ଏବଂ ଇଣ୍ଡି ମେଣ୍ଟକୁ ଖୁସି କରିବା ପାଇଁ ମମତା ମିଛ ଅଭିଯୋଗ ଆଣିଛନ୍ତି ବୋଲି ସୀତାରମଣ ସ୍ପଷ୍ଟ କରିଛନ୍ତି। ବୈଠକରୁ ଯିବା ପରେ ମମତା ଭିତ୍ତିହୀନ କଥା କହୁଥିବା ବେଳେ ବୈଠକରେ ଉପସ୍ଥିତ ନଥିବା କଂଗ୍ରେସ ନେତା ଏହାକୁ ନେଇ ବିଭ୍ରାନ୍ତି ବଢ଼ାଇବାକୁ ପ୍ରୟାସ କରୁଛନ୍ତି। ଅନ୍ୟପକ୍ଷରେ ଡିଏମ୍କେ ଏବଂ ଜେଏମ୍ଏମ୍ ମଧ୍ୟ ମମତାଙ୍କ ପ୍ରତି ବୈଠକରେ ହୋଇଥିବା ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କହିଥିବା ବେଳେ ବିଜେପି ଏହାର କଡ଼ା ଜବାବ ଦେଇଛି। ଆଜି ନିତି ଆୟୋଗ ବୈଠକରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ସାମିଲ ହୋଇନଥିଲେ। କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ଦିଲ୍ଲୀ, ପୁଡ଼ୁଚେରି, ପଂଜାବ, ହିମାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବୈଠକରେ ଅନୁପସ୍ଥିତ ଥିଲେ।। ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିତି ଆୟୋଗ ବୈଠକରେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ନିତି ଆୟୋଗ ବୈଠକରେ ବିହାରରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ପ୍ରତିନିଧିତ୍ବ କରିଥିଲେ। ତେବେ ନୀତୀଶଙ୍କ ଏଭଳି ଅନୁପସ୍ଥିତି ପ୍ରଥମ ଥର ପାଇଁ ନୁହେଁ। ପୂର୍ବରୁ ମଧ୍ୟ ନୀତୀଶ କୁମାର ଅନେକ ଥର ନିତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି। ବିହାରର ୨ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟରୁ ୪ ଜଣ କେନ୍ଦ୍ରମନ୍ତ୍ରୀ ନିତି ଆୟୋଗ ସଦସ୍ୟ ଥିବାରୁ ସେମାନେ ବୈଠକରେ ଯୋଗ ଦେଇଛନ୍ତି। ନିତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକରେ ‘ବିକଶିତ ଭାରତ@୨୦୪୭’ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଯୋଜନା ତ୍ବରାନ୍ବିତ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..