ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶରେ ନୂତନ ଅନ୍ତରୀଣ ସରକାରର ନେତୃତ୍ୱ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଆଜି ହେବ ଶପଥଗ୍ରହଣ ଉତ୍ସବ। ଆଜି ୮୪ ବର୍ଷୀୟ ୟୁନୁସ୍ ଫ୍ରାନ୍ସରୁ ଢାକା ଫେରିବେ। ଏହାପରେ ରାତି ପ୍ରାୟ ୮ଟାରେ ୮୪ ବର୍ଷୀୟ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଶାନ୍ତ ରହିବାକୁ ଆହ୍ୱାନ ଦେବା ସହ ନୂଆ ବାଂଲାଦେଶ ଗଠନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ୟୁନୁସ। ସେ କହିଛନ୍ତି, “ମୁଁ ଘରକୁ ଫେରିବାକୁ ବେଶ ଉତ୍ସାହିତ। କ’ଣ ସବୁ ଘଟୁଛି ଓ ଆମେ କେମିତି ଏକାଠି ସମସ୍ୟାରୁ ମୁକୁଳିବା, ତା’ ହିଁ ମୁଖ୍ୟ ପ୍ରସଙ୍ଗ।” ବାଂଲାଦେଶରେ ହିଂସା ଜାରି ରହିଥିବାରୁ ସେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଯଦି ଆପଣମାନେ ହିଂସାର ରାସ୍ତା ବାଛିବେ, ତା’ହେଲେ ସବୁ କିଛି ଧ୍ୱଂସ ହୋଇଯିବ ବୋଲି କହିଛନ୍ତି ୟୁନୁସ୍ । ନୂଆ ସରକାର ପାଇଁ ଏକ ୧୫ ଜଣିଆ ପରାମର୍ଶଦାତା ପରିଷଦ ମଧ୍ୟ ଗଠନ ହେବ। ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୁହାଯାଉଛି, ଏହି ସରକାର ୩ ମାସ ପାଇଁ କାର୍ଯ୍ୟ କରିବ ଏବଂ ତାହା ମଧ୍ୟରେ ଭିତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ |ୟୁନୁସ ୨୦୦୬ରେ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଥିଲେ। ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତି ପରେ ୟୁନୁସ କହିଛନ୍ତି ଯେ ଶେଖ ହସିନା ସରକାରର ପତନ ବାଂଲାଦେଶ ପାଇଁ ଦ୍ବିତୀୟ ବିଜୟ ଦିବସ। ବାଂଲାଦେଶକୁ ଯେଉଁ ବିଜୟ ମିଳିଛି ତାର ଶ୍ରେୟ ୟୁନୁସ ଦେଶର ଛାତ୍ର ସଂଗଠନକୁ ଦେଇଛନ୍ତି। ଏକ ସାକ୍ଷାତ୍କାରରେ ସେ କହିଛନ୍ତି ଯେ ବାଂଲାଦେଶକୁ ଯେଉଁ ବିଜୟ ମିଳିଛି ତାକୁ ହାତଛଡ଼ା କରାଯିବା ଉଚିତ୍ ନୁହେଁ। ପୂର୍ବ ଭୁଲ୍କୁ ସଂଶୋଧନ କରି ବାଂଲାଦେଶକୁ ବିକାଶ ପଥରେ ଆଗକୁ ନେବା ଲାଗି ସେ ଉଦ୍ୟମ କରିବେ ବୋଲି କହିଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……