Report Card Odisha

| Daily Odia News

ଦିଗପହଣ୍ଡିରେ ବିଷମଦ ନେଲା ଜୀବନ, ମଶାଣିରୁ ଶବ ଜବତ…..

ରିପୋର୍ଟ କାର୍ଡ / ଦିଗପହଣ୍ଡି

ଚିକିଟି ପରେ ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ପରିବାରବର୍ଗ ମୃତଦେହ ପୋଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଦିଗପହଣ୍ଡି ପୋଲିସ ମଶାଣିରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, କ୍ରିଷ୍ଣା ଗତକାଲି ଛେଳି ଚରାଇବା ପାଇଁ ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ ବିଚ୍ଛାପାଟ ଗ୍ରାମକୁ ଯାଇଥିଲେ। ସେଠାରେ ସେ ରନ୍ଧାମଦ ପିଇଥିଲେ। ସେ ବିଚ୍ଛାପାଟ ଗାଁରୁ ଏସ୍‌.ଟିକରପଡ଼ା ଗ୍ରାମକୁ ଯିବା କେନାଲ ରାସ୍ତା ବୃନ୍ଦାବନନଗର ଗ୍ରାମ ନିକଟରେ ଅଚେତ ହୋଇ ପଡ଼ିଥିଲେ। ସେ ରାତିରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳେ ତାଙ୍କର ମୃତଦେହ ସେହି ରାସ୍ତା କଡ଼ରେ ପଡ଼ିଥିବା ଖବର ପାଇଥିଲେ। ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚି କ୍ରିଷ୍ଣାଙ୍କ ମୃତଦେହ ଘରକୁ ଆଣିବା ପରେ ଅନ୍ତିମ ସଂସ୍କାର ପାଇଁ ଭୀଷ୍ମଗିରି ସ୍ଥିତ ମଶାଣିକୁ ନେଇଥିଲେ। ହେଲେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା। କ୍ରିଷ୍ଣାଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ପରିବାରବର୍ଗଙ୍କୁ ପଚରାଉଚରା କରିଥିଲା। ରନ୍ଧାମଦ ପିଇବାରୁ କ୍ରିଷ୍ଣାଙ୍କ ଜୀବନ ଯାଇଥିବା ନେଇ ପରିବାର ସଦସ୍ୟ ଓ ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଏଣୁ ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପ୍ରକାଶ ଥାଉ କି ଦିଗପହଣ୍ଡି ବ୍ଲକ୍‌ର ଭୀଷ୍ମଗିରି, ଜୁଆଣପଲ୍ଲୀ, ଶ୍ୟାମସୁନ୍ଦରପୁର, ମଝିସାହି, ତଳସାହି, ଉପରସାହି, ବାଦପୁର, ପାଳଝାଡ଼ି, ଗୋଠକେଳି ପ୍ରଭୃତି ଗ୍ରାମରେ ବହୁଳ ପରିମାଣ ରନ୍ଧାମଦ ବିକ୍ରି ହେଉଛି। ଏହି ରନ୍ଧାମଦ ସରକାରୀ ମଦ ଠାରୁ ଶସ୍ତା ହୋଇଥିବାରୁ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁର ଲୋକେ ଏହି ଅଞ୍ଚଳରୁ ଦେଶୀ ରନ୍ଧାମଦ କିଣି ପିଉଥିବା ଜଣାପଡିଛି |

Breaking News