Report Card Odisha

| Daily Odia News

ଏକ ରାଷ୍ଟ୍ର,ଏକ ନିର୍ବାଚନ ପ୍ରସଙ୍ଗ: କ’ଣ କହୁଛନ୍ତି ସମର୍ଥକ ଓ ବିରୋଧୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଅର୍ଥ ହେଉଛି ସମସ୍ତ ଭାରତୀୟ ଭୋଟର୍‌ ଗୋଟିଏ ବର୍ଷରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରତିନିଧି ବାଛିବାପାଇଁ ମତଦାନ କରିବେ। ସମାନ ସମୟରେ ନହେଲେ ବି ଗୋଟିଏ ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ସବୁ ରାଜ୍ୟରେ ଏକ ସଙ୍ଗରେ ନିର୍ବାଚନ ହେବ। ବର୍ତ୍ତମାନ କେବଳ ଅଳ୍ପ କିଛି ରାଜ୍ୟରେ ଏକ ସଙ୍ଗେ ନିର୍ବାଚନ ହେଉଛି। ଏହି ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡ଼ିଶା। ଏପ୍ରିଲ-ଜୁନ୍‌ ଲୋକସଭା ନିର୍ବାଚନ ସମୟରେ ଏହି ୩ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପଦ୍ଧତି ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ଏହା କାର୍ଯ୍ୟକାରୀ କରିବା ଦିଗରେ ଆମେ ସର୍ବଭାରତୀୟ ସ୍ତରରେ ଆଲୋଚନା ଆରମ୍ଭ କରିବୁ। ମନ୍ତ୍ରୀ ‌ବୈଷ୍ଣବ କହିଛନ୍ତି, ପ୍ରାରମ୍ଭିକ ପ୍ରକ୍ରିୟାରେ ୮୦ ପ୍ରତିଶତ ଭୋଟର ‘ଏକ ରାଷ୍ଟ୍ର , ଏକ ନିର୍ବାଚନ’କୁ ସମର୍ଥନ କରିଛନ୍ତି। ଏଥିପାଇଁ ସବୁଆଡ଼ୁ ସମର୍ଥନ ମିଳିଛି। କିନ୍ତୁ କଂଗ୍ରେସ ସମେତ ୧୫ଟି ବିରୋଧୀ ଦଳ ଏହି ଯୋଜନାକୁ ବିରୋଧ କରିଛନ୍ତି। କଂଗ୍ରେସ କହିଛି ଏହି ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ କରିହେବ ନାହିଁ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ‌ଆଗକୁ ନିର୍ବାଚନ ଅଛି ‌ଏବଂ ସେମାନଙ୍କ ନିକଟରେ କିଛି ପ୍ରସଙ୍ଗ ନାହିଁ। ତେଣୁ ସେମାନେ ଏହି ପ୍ରସଙ୍ଗ ଏବେ ଉଠାଇଛନ୍ତି। ଗତ ସପ୍ତାହରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ କହିଥିଲେ, ବର୍ତ୍ତମାନର ସମ୍ବିଧାନ ଅଧୀନରେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପଦ୍ଧତି ସମ୍ଭବ ନୁ‌ହେଁ। କାରଣ ଏଥିପାଇଁ ୫ଟି ସାମ୍ବିଧାନିକ ସଂଶୋଧନ ଆବଶ୍ୟକ। ତୃଣମୂଳ କଂଗ୍ରେସ ନେତା ଡେରିକ୍‌ ଓ’ପ୍ରିଏନ୍‌ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ବିଜେପିର ଶସ୍ତା ରାଜନୈତିକ ଦୁଃସାହସିକ କ୍ରୀଡ଼ା (ଷ୍ଟଣ୍ଟ) ଭାବେ ବର୍ଣ୍ଣନା କରିଛନ୍ତି। ସରକାର ଯଦି ଏକକାଳୀନ ନିର୍ବାଚନ ଚାହାଁନ୍ତିଟ୍ଟ ତେବେ ହରିୟାଣା ଓ ଜାମ୍ମୁ-କାଶ୍ମୀର ନିର୍ବାଚନ ସହିତ କାହିଁକି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ କରାଗଲା ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ସେ ମୋଦୀ-ଶାହା ଜୁମ୍‌ଲା ବୋଲି କହିଛନ୍ତି। ଶିବସେନା (ଉଦ୍ଧବ) ସମାନ ମତବ୍ୟକ୍ତ କରିଛି। ଅପରପକ୍ଷରେ ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା, ଆପ୍‌ନା ଦଳ, ଜେଡି(ୟୁ) ଆଦି ଏନ୍‌ଡିଏ ଅଂଶୀଦାର ଦଳ ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି ଯେ ଏକକାଳୀନ ନିର୍ବାଚନ ଦ୍ବାରା ବିପୁଳ ଖର୍ଚ୍ଚକୁ ରୋକାଯାଇପାରିବ ଏବଂ ଜାତୀୟ ଏକତାକୁ ଦୃଢ଼ କରିବଟ୍ଟ କିନ୍ତୁ ବିରୋଧୀଙ୍କ ମତ ହେଉଛି, ଏହା ସଂଘୀୟ ଢ଼ାଞ୍ଚା ଉପରେ ଗୁରୁତର ପ୍ରଭାବ ପକାଇବ। ସମ୍ବିଧାନ ସଂଶୋଧନ ଦ୍ବାରା ଏହାର ମୌଳିକତା ନଷ୍ଟ ହେବ। ସୁରକ୍ଷାକର୍ମୀ, ନିର୍ବାଚନ କର୍ମଚାରୀ ଓ ପରିବହନ ବ୍ୟବସ୍ଥା ଦୃଷ୍ଟିରୁ ମଣିପୁର ଭଳି ଉତ୍ତର-ପୂର୍ବାଞ୍ଚଳରେ ଏକକାଳୀନ ନିର୍ବାଚନ ପରିଚାଳନା କଷ୍ଟକର ହେବ ବୋଲି କଂଗ୍ରେସ ଦର୍ଶାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ନିଜ ହାତରେ କ୍ଷମତା କେନ୍ଦ୍ରୀଭୂତ କରିବା ପାଇଁ ଯୋଜନା ଚଳାଇଛନ୍ତି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ସଂସଦୀୟ ଗଣତନ୍ତ୍ରରେ ଏହାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ପ୍ରସ୍ତାବ ପଛରେ ବିଜେପିର ଗୁପ୍ତ ଯୋଜନା ରହିଛି ଏବଂ ଏହାଦ୍ବାରା ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ କହିଛନ୍ତି। ସମାଜବାଦୀ ପାର୍ଟି କହିଛି ଯେ ଏହା ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିବା ପାଇଁ ଅଭିପ୍ରେତ। ଜାତୀୟ ଦଳ ସହ ରାଜ୍ୟସ୍ତରୀୟ ଦଳଗୁଡ଼ିକ ରଣନୀତି ଓ ଆର୍ଥିକ ଦୃଷ୍ଟିରୁ ପ୍ରତିଯୋଗିତା କରିପାରିବେ ନାହିଁଟ୍ଟ ତେଣୁ ଏହାକୁ ବିରୋଧ କରାଯିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ୨୦୧୯ରେ ଅନୁଷ୍ଠିତ ଏ ସଂକ୍ରାନ୍ତ ସର୍ବଦଳୀୟ ବୈଠକରେ ୧୯ଟି ଦଳ ଯୋଗ ଦେଇଥିଲେ ଏବଂ ସେଥିମଧ୍ୟରୁ ୧୬ଟି ଦଳ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଅଧିକାଂଶ ଦଳ ପ୍ରସ୍ତାବକୁ ବିରୋଧ ପୂର୍ବକ ବୈଠକକୁ ବର୍ଜନ କରିଥିଲେ। ବିଜେପି, ବିଜେଡି, ତତ୍କାଳୀନ ଏନ୍‌ସିପି, ଜେଡି(ୟୁ), ୱାଇଏସ୍‌ଆର କଂଗ୍ରେସ, ଭାରତ ରାଷ୍ଟ୍ର ସମିତି, ଲୋକ ଜନଶକ୍ତି ପାର୍ଟି, ଶିରୋମଣି ଅକାଳୀ ଦଳ, ଆପ୍‌ନା ଦଳ ଆଦି ସମର୍ଥନ କରିଥିବା ୧୬ ଦଳ ଥିଲେ। ୧୫ ବିରୋଧୀ ଦଳ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’କୁ ବିରୋଧ କରୁଛନ୍ତି। କିନ୍ତୁ ଅନେକ ବିରୋଧୀ ଦଳ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ସମର୍ଥନ କରୁଛନ୍ତି। କମିଟି ରିପୋର୍ଟ ଅନୁଯାୟୀ ଉକ୍ତ ନିଷ୍ପତ୍ତିକୁ ସମର୍ଥନ କରୁଥିବା ଅନ୍ୟ ବିରୋଧୀ ଦଳଗୁଡ଼ିକ ହେଉଛନ୍ତି ଶରଦ ପାୱାରଙ୍କ ଏନସିପି, ଜଗନ ‌ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ, ନବୀନ ପଟ୍ଟନାୟକଙ୍କ ବିଜେଡି, କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି, ସୁଖବୀର ବାଦଲଙ୍କ ଶିରୋମଣି ଅକାଳୀ ଦଳ ଏବଂ ମେହବୁବା ମୁଫ୍‌ତିଙ୍କୁ ପିପୁଲ୍ସ ଡୋମୋକ୍ରାଟିକ ପାର୍ଟି। ଅନ୍ୟପକ୍ଷେ ବିରୋଧ କରୁଥିବା ଦଳଗୁଡ଼ିକ ହେଉଛନ୍ତି କ‌ଂଗ୍ରେସ, ଆପ୍‌, ସିପିଆଇ, ସିପିଏମ୍‌, ଏଆଇୟୁଡିଏଫ୍‌, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ୍‌, ଡିଏମ୍‌କେ, ନାଗା ପିପୁଲ୍ସ ଫ୍ରଣ୍ଟ୍‌, ଏମଡିଏମକେ, ଭିସିକେ ଏବଂ ଏସ୍‌ଡିପିଆଇ।

Breaking News