Report Card Odisha

| Daily Odia News

ବାବା ସିଦ୍ଦିକି ହତ୍ୟା ଘଟଣା: ନାବାଳକ ନୁହେଁ ଅଭିଯୁକ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାବା ସିଦ୍ଦିକି ହତ୍ୟା ଘଟଣାରେ ତନାଘନା କରୁଛି ମୁମ୍ବାଇ ପୋଲିସ | ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଜଣ ଫେରାର ଅଛନ୍ତି। ହରିୟାଣାର ଗୁରୁମେଲ ଏବଂ ୟୁପିର ଧର୍ମରାଜକୁ ଗିରଫ କରିଛି ପୋଲିସ । ସେହିପରି ପୋଲିସ ୨୮ ବର୍ଷୀୟ ପ୍ରବିଣ ଲୋନକର ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗରିଫ କରିଛି। ଅନ୍ୟ ଅଭିଯୁକ୍ତ ଶିବାକୁ ଧରିବାକୁ ଖୋଳତାଡ଼ ଚାଲିଛି। ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛି। ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି। ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି। ସେ ନିଜକୁ ନାବାଳକ କହି କୋର୍ଟକୁ ଭୁଆଁ ବୁଲାଉଥିଲା। ଧର୍ମରାଜ ସାବାଳକ ଜଣାପଡ଼ିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୧ ଯାଏ ତାକୁ ମଧ୍ୟ ପୋଲିସ କଷ୍ଟଡିକୁ ତାକୁ ପଠାଇ ଦିଆଯାଇଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ, ତିନି ଥରର ବିଧାୟକ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର ଗତକାଲି ବିଳମ୍ବିତ ସଂଧ୍ୟାରେ ସମ୍ପନ୍ନ ହୋଇଛି। ମୁମ୍ବାଇ ଲାଇନ୍ସର ବଡା କବରିସ୍ତାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସିଦ୍ଦିକିଙ୍କ ଶେଷ ସଂସ୍କାର କରାଯାଇଛି। ଅନ୍ତେଷ୍ଟିରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ ଏବଂ ଅଜିତ ପାୱାରଙ୍କ ଭଳି ବଡ଼ ବଡ଼ ନେତା ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ ଅଭିନେତା ସଲମାନ ଖାନ୍‌ ମଧ୍ୟ ଏହି ଅନ୍ତେଷ୍ଟିରେ ସାମିଲ ହୋଇଥିଲେ। ଏହାପୂର୍ବରୁ ବାହାରିଥିଲା ପାର୍ଥିବ ଶରୀରର ଶେଷ ଶୋଭାଯାତ୍ରା। ବାସଭବନରୁ ବଡା କବରିସ୍ତାନ ଯାଏଁ ସିଦ୍ଦିକିଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା। ମୁମ୍ବାଇରେ ଏହା ଥିଲା ମୁସଲିମ ସମ୍ପ୍ରଦାୟଙ୍କ ସବୁଠୁ ବଡ଼ ଶୋଭାଯାତ୍ରା। ଶେଷ ଦର୍ଶନ ପାଇଁ ମୁମ୍ବାଇ ରାସ୍ତାରେ ଜମିଥିଲା ଅଂସଖ୍ୟ ଲୋକଙ୍କ ଭିଡ଼। ଏପରିକି ଲୋକେ ସିଦ୍ଦିକିଙ୍କ ଘର ବାହାରେ ନମାଜ ମଧ୍ୟ ପଢିଥିବା ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ- ଶନିବାର ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ ପରେ ତାଙ୍କୁ ତୁରନ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ଗୁଳି ତାଙ୍କ ପେଟରେ ଓ ଆଉ ଗୋଟିଏ ଗୁଳି ତାଙ୍କ ଛାତିରେ ମାଡ଼ ହୋଇଛି। ଗୁଳି ମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ରଖିଛି | ବାବା ଶନିବାର ରାତି ପ୍ରାୟ ୯.୧୫ରେ ମୁମ୍ବାଇର ନିର୍ମଳ ନଗର ସ୍ଥିତ ତାଙ୍କ ଅଫିସରୁ ବାହାରିଥିଲେ। ସେ ନିଜ କାରରେ ବସିବା କ୍ଷଣି ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ସେ କାରରେ ବସିବା କ୍ଷଣି ପ୍ରଥମେ ବାଣ ଫୁଟିଥିଲା। ବାଣ ଫୁଟିବା ମାତ୍ରେ ପୂରା ଅଞ୍ଚଳ ଧୂଆଁ ମୟ ହୋଇଥିଲା। ଏହାର ଫାଇଦା ନେଇ ଆକ୍ରମଣକାରୀମାନେ ତାଙ୍କ ଉପରକୁ କାର ଭିତରେ ହିଁ ଏକାଧିକ ରାଉଣ୍ଡ ଗୁଳି କରିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ସେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।

Breaking News