ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବାଇରେ ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିବାବେଳେ ପୋଲିସ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଯିଏ ବି ସାହାଯ୍ୟ କରିବ ତା’କୁ ଜୀବନରୁ ମାରିଦିଆଯିବ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି। ପୁଅ ଜୀଶନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହା ପରେ ଶୁବ୍ବୁ ଳୋଙ୍କର ମହାରାଷ୍ଟ୍ର ନାମକ ଏକ ଫେସବୁକ ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରି ସଲମାନ ଖାନଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଦର୍ଶାଯାଇଛି। ୧୯୯୯ ମସିହାରୁ ଅଭିନେତା ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗ ହିଟ୍ ଲିଷ୍ଟରେ ରହିଛନ୍ତି। ବାବା ସିଦ୍ଦିକି ସଲମାନଙ୍କ ଘନିଷ୍ଠ ହୋଇଥିବାରୁ ସେ ତାଙ୍କ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ସରକାରୀ ସ୍ତରରେ ଉଦ୍ୟମ କରିଥିଲେ। ଯେଉଁଥିପାଇଁ ବାବାଙ୍କୁ ହତ୍ୟା କରାଯାଇଛି। କେବଳ ବାବା ସିଦ୍ଦିକି ନୁହନ୍ତି, ଯିଏ ବି ସଲମାନ ଏବଂ ଦାଉଦ ଇବ୍ରାହିମ ଗ୍ୟାଙ୍ଗକୁ ସହଯୋଗ କରିବ ତା’କୁ ରାସ୍ତାରୁ ସଫା କରିଦିଆଯିବ ବୋଲି ଧମକ ଦିଆଯାଇଛି। ଏହି ପୋଷ୍ଟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ କରିଥିବା ଅନୁମାନ କରାଯାଉଛି। ପୋଲିସ ତା’କୁ ଠାବ କରିବାକୁ ଉଦ୍ୟମ ଚଳାଇଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..