ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଜୁଛି ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ନହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା ପରେ ତୁରନ୍ତ କାଉଣ୍ଟର କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରିବାରୁ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଏବଂ ବେଙ୍ଗଲ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାପରେ କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ରାଜନୀତି କରିବା ଉଚିତ ନୁହେଁ। କେଜ୍ରିୱାଲ ଲେଖିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଯୋଜନା ଅନୁଯାୟୀ ଦିଲ୍ଲୀରେ ରହୁଥିବା ପ୍ରତ୍ୟେକ ନାଗରିକ ମାଗଣାରେ ଚିକିତ୍ସିତ ହେଉଛନ୍ତି। ଯେତେ ଖର୍ଚ୍ଚ ହେଉନା କାହିଁକି, ସମଗ୍ର ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରୁଛନ୍ତି। ପାଞ୍ଚ ଟଙ୍କାର ବଟିକା ହେଉ କିମ୍ବା କୋଟିଏ ଟଙ୍କା ମୂଲ୍ୟର ଚିକିତ୍ସା, ଦିଲ୍ଲୀ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଉଛନ୍ତି। ଯଦି ଆପଣ କହିବେ, ମୁଁ ଆପଣଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ତାଲିକା ପଠାଇବି, ଯେଉଁମାନେ ଏହାର ଫାଇଦା ପାଉଛନ୍ତି। ଏହାପରେ ନିଜ ‘ଏକ୍ସ’ ପୋଷ୍ଟରେ କେଜ୍ରିୱାଲ ପ୍ରଶ୍ନ ଉଠାଇ ଲେଖିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଲୋକମାନେ ଉପକୃତ ହୋଇଛନ୍ତି କି? ଏହି ଯୋଜନାରେ ଅନେକ ଅନିୟମିତତା ହୋଇଥିବା CAGକୁ ତଥ୍ୟ ମିଳିଛି। ଆଜି ପର୍ଯ୍ୟନ୍ତ ଯେଉଁ ସବୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହୋଇଛି, ସେ ସବୁ ରାଜ୍ୟରେ ମୁଁ ଜଣେ ବି ଏପରି ବ୍ୟକ୍ତିଙ୍କୁ ଭେଟି ନାହିଁ, ଯିଏ ଏହି ଯୋଜନାରେ ଅଧୀନରେ ଚିକିତ୍ସିତ ହୋଇଛନ୍ତି। କେଜ୍ରିୱାଲ ଆହୁରି ଲେଖିଛନ୍ତି – ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଦିଲ୍ଲୀ ମଡେଲ ଅଧ୍ୟୟନ କରନ୍ତୁ ଏବଂ ଆୟୁଷ୍ମାନ ଭାରତ ଯୋଜନା ବଦଳରେ ସମଗ୍ର ଦେଶରେ ଦିଲ୍ଲୀ ମଡେଲକୁ କାର୍ଯ୍ୟକାରୀ କରନ୍ତୁ। ଯାହାଦ୍ୱାରା ଲୋକମାନେ ତୃଣମୂଳ ସ୍ତରରୁ ଉପକୃତ ହୋଇପାରିବେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..