Report Card Odisha

| Daily Odia News

ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ | ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି। ଅଧିବେଶନର ଦ୍ବିତୀୟ ଦିନ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ତଥା ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ସେଣ୍ଟ୍ରାଲ ହଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୀତ ଅଧିବେଶନରେ ଯେଉଁ ପ୍ରସ୍ତାବିତ ବଡ଼ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ସେଗୁଡ଼ିକ ମଧ୍ୟରେ ଵକଫ୍ ସଂଶୋଧନ ବିଲ୍‌-୨୦୨୪ ଏବଂ ସରକାରଙ୍କ ମହତ୍ୱାକାଂକ୍ଷୀ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ ରହିଛି। ୱକଫ୍ ବିଲ୍‌ରେ ସଂଶୋଧନକୁ ଶାସକ ବିଜେପି ନେତା ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଯୁଗ୍ମ ସଂସଦୀୟ କମିଟି ଅଧ୍ୟୟନ କରୁଛି ଏବଂ ‌ଏ ନେଇ ମାରାଥନ୍‌ ବୈଠକ ଚାଲିଛି। ତେବେ ବିରୋଧୀ ସାଂସଦମାନେ ଚଳିତ ସପ୍ତାହରେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି କମିଟିରୁ ନିଜକୁ ଅଲଗା କରିପାରିବେ ବୋଲି ଚେତାବନୀ ଦେବା ପରେ ଜେପିସିର କାର୍ଯ୍ୟକାରିତା ବିବାଦ ଘେରକୁ ଆସିଛି। ଅଧ୍ୟକ୍ଷ ଏକତରଫା ଭାବେ ନିଷ୍ପତ୍ତି ନେବାକୁ ଯୋଜଜା କରୁଛନ୍ତି ବୋଲି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବ ମଧ୍ୟ ବିବାଦ ଘେରରେ ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମାର୍ଚ୍ଚ ମାସରେ ଏକ ରିପୋର୍ଟ ଦାଖଲ କରି ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ପ୍ରସ୍ତାବ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଇସ୍ତାହାରରେ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବ ରହିଥିଲା ଏବଂ ଏହାକୁ ବିରୋଧୀ ଦଳମାନେ ତୀବ୍ର ସମାଲୋଚନା କରିଥିଲେ। ଅଧିକାଂଶ ବିରୋଧୀ ଦଳ ‘ଏକ ଦେଶ, ଏକ ନିର୍ବାଚନ’ ନୀତିକୁ ବିରୋଧ କରୁଛନ୍ତି।

Breaking News