Report Card Odisha

| Daily Odia News

ଭରତପୁର ଥାନା ଘଟଣା: ଆସିଲା ପଲିଗ୍ରାଫ୍‌ ରିପୋର୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭରତପୁର ଥାନା ମାମଲାରେ ସମ୍ପୃକ୍ତ ଥାନାଧିକାରୀ ଓ ଅନ୍ୟମାନଙ୍କର ପଲିଗ୍ରାଫ୍‌ ପରୀକ୍ଷା ରିପୋର୍ଟ, ବ୍ରେନ୍‌ ମ୍ୟାପିଂ ଓ ନାର୍କୋ ଆନାଲିସିସ୍‌ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ତଦନ୍ତକାରୀ ଦଳ ରିପୋର୍ଟକୁ ସମୀକ୍ଷା କରୁଛନ୍ତି। ଗୁଜରାଟ ଗାନ୍ଧୀନଗର ଡିଏଫ୍‌ଏସ୍‌ଏଲରୁ ଏହି ରିପୋର୍ଟ ଆସିଛି। ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲାସିସ ସମେତ ପଲିଗ୍ରାଫ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ୪ କର୍ମଚାରୀଙ୍କର କେବଳ ପଲିଗ୍ରାଫ୍‌ ପରୀକ୍ଷା ହୋଇଥିଲା। ସମୀକ୍ଷା ପରେ ଏହି ରିପୋର୍ଟ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଥ୍ୟ ରଖିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସେନା ଅଧିକାରୀ ଓ ପୀଡ଼ିତାଙ୍କ ମୋବାଇଲର ଫୋନ୍‌ର ଏସ୍‌ଏଫ୍‌ଏସଏଲ୍‌ରୁ ରିପୋର୍ଟ ଆସିନାହିଁ। ଉଭୟ ରିପୋର୍ଟକୁ ଅନୁଧ୍ୟାନ ଓ ଯାଞ୍ଚ କରି ମାମଲା ଉପରୁ ଖୁବଶୀଘ୍ର ପରଦା ହଟାଇବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଘରକୁ ଫେରିବା ବେଳେ କିଛି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାକୁ ନେଇ ଉଭୟ ଭରତପୁର ଥାନାରେ ପହଞ୍ଚି ଥିଲେ। ସେଠାରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣ ନେଇ ପୋଲିସ ମଧ୍ୟ ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାମରେ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ କରିବା ଲାଗି ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଜାରି ରଖିଛି।

Breaking News