ରିପୋର୍ଟ କାର୍ଡ / ଭୁବନେଶ୍ବର
ଭରତପୁର ମାମଲାରେ ତଦନ୍ତ କମିଶନଙ୍କର ପ୍ରଥମ ଶୁଣାଣି ବୈଠକ ଗୁରୁବାର ଶେଷ ହୋଇଛି। ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ କମିଶନ ଏହି ମାମଲାରେ ୫୦୦ ରୁ ଅଧିକ ଦାଖଲ ହୋଇଥିବା ସତ୍ୟପାଠର ଯାଞ୍ଚ୍ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆସନ୍ତା ୧୯ ତାରିଖରେ କମିଶନ ସ୍ପଟ୍ ଭିଜିଟ କରିବେ। ଭରତପୁର ଥାନାକୁ ଯିବା ସହ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ସହିତ ଯେଉଁ ସ୍ଥାନରେ ଛାତ୍ରମାନେ ଗଣ୍ଡଗୋଳ କରିଥିଲେ ସେହି ସ୍ଥାନକୁ ଯାଇ କମିଶନ ସରଜମିନ୍ ତଦନ୍ତ କରିବେ। ଆସନ୍ତା ୩୦ ତାରିଖରେ କମିଶନ ମାମଲାର ଦ୍ଵିତୀୟ ଶୁଣାଣି କରିବେ। ଗୁରୁବାର ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ସତ୍ୟପାଠ ଆଦାନ ପ୍ରଦାନ କରାଯାଇଥିଲା। ଉଭୟ ପକ୍ଷଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ ତଦନ୍ତ କମିଶନ ଅବଗତ କରାଇଥିଲେ। ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣି ସମୟରେ କମିଶନ ସଚିବ ଶୁଭେନ୍ଦ୍ର ମହାନ୍ତି, ମେଜର ଓ ପୀଡ଼ିତାଙ୍କ ଓକିଲ ଯଶୋବନ୍ତ ଦାସ ଏବଂ ପୀଡ଼ିତାଙ୍କ ବାପା ଅନ୍ତର୍ଯ୍ୟାମୀ ପ୍ରଧାନ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମେଜରଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୁଲିସ ଆକ୍ରମଣ କରିଥିବା ନେଇ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିସନ ମଧ୍ୟ ଗଠନ କରାଯାଇଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……