Report Card Odisha

| Daily Odia News

ବଢ଼ିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କ ନିଯୁକ୍ତିରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଳମ୍ବ କରୁଥିବାକୁ ନେଇ ରାଜଭବନ ଗତ ସପ୍ତାହରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ୩ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ନିମନ୍ତେ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି କରିନଥିବାରୁ ରାଜ୍ୟପାଳ ସମ୍ପୃକ୍ତ କୁଳପତିମାନଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି । ଗୁରୁବାର ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ବୃଦ୍ଧି କରିଛନ୍ତି । ଏହି ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରିବା ଦିନଠୁ ୬ମାସ ପର୍ଯ୍ୟନ୍ତ ଅବା ନୂଆ କୁଳପତି ଯୋଗଦେବା ପର୍ଯ୍ୟନ୍ତ(ଯାହା ପ୍ରଥମେ ଆସିବ) ବୃଦ୍ଧି କରାଗଲା । ତେବେ ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ କୁଳପତିମାନେ କୁଳାଧିପତିଙ୍କ ବିନା ଅନୁମତିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କର ନଭେମ୍ବର ୨୩, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗରାଜୁଙ୍କର ନଭେମ୍ବର ୨୬ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ତାରିଖରେ ଶେଷ ହେଉଛି ।

Breaking News