Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦି ବିଧାୟକ-ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୨ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ବିଧାୟକ, ସାଂସଦ,ମନ୍ତ୍ରୀ ଓ ପଦାଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ | ଆଉ ସମସ୍ତଙ୍କ ସହ ମିଶି ଡିନର (ରାତ୍ରିଭୋଜନ) ବି କରିଥିଲେ । ବେଶ୍ ହାଲକା ଓ ସହଜ ଢଙ୍ଗରେ ଦଳୀୟ ନେତାମାନଙ୍କ ସହ କଥା ହେଲେ । ସମସ୍ତଙ୍କ ସୁଖଦୁଃଖ ପଚାରି ବୁଝିଲେ । ଆଉ ସାର୍ବଜନୀନ ଜୀବନରେ ରହିବା ପାଇଁ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମୟ ବିତାଇବାପରେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ବିଜେପି ନେତା-ମନ୍ତ୍ରୀମାନେ। ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ୨ଘଣ୍ଟା ଧରି ଦଳର ବିଧାୟକ,ସାଂସଦ,ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହ ସମୟ ବିତାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ରାତ୍ରିଭୋଜନ କରି ରାଜଭବନ ଫେରିଯାଇଛନ୍ତି । ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳୀୟ ପଦାଧିକାରୀ,ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି । କର୍ମକର୍ତ୍ତାଙ୍କ ଭଳି ସମସ୍ତଙ୍କ ସହ ମିଶିଥିଲେ । ନିଜ ମନକଥା କହିବା ସହ ଲୋକଙ୍କ ସେବା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ବିଜେପିର ସରକାର ଆସିଥିବାରୁ ଦଳୀୟ ପଦାଧିକାରୀ ଓ ନେତାମାନଙ୍କ ସହ ସମୟ ବିତାଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଉତ୍ସାହିତ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ମୋଦିଙ୍କ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କର ସୁଖଦୁଃଖ ପଚାରି ବୁଝିଲେ । ଆମ ନିମନ୍ତ୍ରଣ ରକ୍ଷା କରି ଆମମାନଙ୍କ ସହ ରାତ୍ରିଭୋଜନ କରିବାକୁ ଆସିଥିଲେ । କୌଣସି ସେଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇନି ।

Breaking News