ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର – ୨୦୨୪ ପ୍ରଦାନ କରିଛନ୍ତି। ତୃଣମୂଳ ସ୍ତରର ଶାସନ ଓ ଗୋଷ୍ଠୀ ବିକାଶ କ୍ଷେତ୍ରରେ ବ୍ୟାପକ ସଫଳତାକୁ ପ୍ରତିଫଳିତ କରି ଚଳିତ ବର୍ଷ ବିଭିନ୍ନ ବର୍ଗରେ ମୋଟ ୪୫ ଜଣଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶା ଓ ତ୍ରିପୁରାକୁ ସର୍ବାଧିକ ୭ଟି ଲେଖାଏଁ ପୁରସ୍କାର ମିଳିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଛନ୍ତି। ଏହି ପୁରସ୍କାର ପଞ୍ଚାୟତର ନିଷ୍ଠା ଓ ପ୍ରୟାସର ପ୍ରତୀକ ହୋଇଥିବାରୁ ଭବିଷ୍ୟତରେ ମଧ୍ୟ ସର୍ବଦା ଶ୍ରେଷ୍ଠ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ପ୍ରାୟ ୬୪% ନାଗରିକ ଗ୍ରାମୀଣ ଭାରତରେ ବସବାସ କରନ୍ତି, ତେଣୁ ଭାରତକୁ ଏକ ଶକ୍ତିଶାଳୀ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗାଁ ଏବଂ ଗ୍ରାମବାସୀଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି ଆଲୋକପାତ କରିଥିଲେ । ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ପ୍ରୟାସକୁ ସ୍ୱୀକୃତି ଦେବା ଏବଂ ଉତ୍ସାହିତ କରିବାରେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗ୍ରାମୀଣ ଭାରତର ସାମଗ୍ରିକ ବିକାଶରେ ଯୋଗଦାନ କରିବା ଏବଂ ଶ୍ରେଷ୍ଠ ଅଭ୍ୟାସ ଗ୍ରହଣ କରିବାକୁ ଅନ୍ୟ ପଞ୍ଚାୟତଗୁଡ଼ିକୁ ପ୍ରେରିତ କରିବା ଏହି ସ୍ୱୀକୃତିର ଉଦ୍ଦେଶ୍ୟ। ଚଳିତ ବର୍ଷ ପ୍ରାୟ ୧.୯୪ ଲକ୍ଷ ଗ୍ରାମ ପଞ୍ଚାୟତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପୁରସ୍କାର ପ୍ରାପ୍ତ ପଞ୍ଚାୟତଗୁଡ଼ିକର ୪୨% ମହିଳାଙ୍କ ନେତୃତ୍ୱରେ ରହିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..