ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ନିରୀହ ଲୋକଙ୍କୁ ଅଯଥା ନିର୍ଯାତନାରୁ ରୋକିବା ପାଇଁ ଯୌତୁକ ନିର୍ଯାତନା ମାମଲାର ନିଷ୍ପତ୍ତି ନେବା ସମୟରେ ଅଦାଲତ ସତର୍କତା ଅବଲମ୍ବନ କରିବା ଉଚିତ। ବେଙ୍ଗାଲୁରୁରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା ପରେ ଯୌତୁକ ନିଷେଧ ଆଇନର ଅପବ୍ୟବହାରକୁ ନେଇ ଦେଶବ୍ୟାପୀ ଚାଲିଥିବା ବିତର୍କ ମଧ୍ୟରେ ଏହି ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ। ଆତ୍ମହତ୍ୟା ପୂର୍ବରୁ ଅତୁଲ ସୁଭାଷ ୮୦ ମିନିଟର ଏକ ଭିଡିଓ ରେକର୍ଡ କରିଥିଲେ, ଯେଉଁଥିରେ ସେ ତାଙ୍କଠାରୁ ଅଲଗା ହୋଇଯାଇଥିବା ପତ୍ନୀ ନିକିତା ସିଂହାଣିଆ ଓ ତାଙ୍କ ବାପଘର ବିରୋଧରେ ଏକାଧିକ ଅଭିଯୋଗ କରିଥିଲେ। ନିକିତା ଓ ତାଙ୍କ ବାପଘର ଲୋକେ ତାଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରିଥିବା ସେ ଅଭିଯୋଗ କରିଥିଲେ। ଅତୁଲ ସୁଭାଷ ତାଙ୍କ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ରେ ନ୍ୟାୟ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଜଣେ ବ୍ୟକ୍ତି,ତାଙ୍କ ପିତାମାତା ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଖାରଜ କରିବାକୁ ମନା କରିଥିବା ତେଲେଙ୍ଗାନା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିବା ପରେ ସୁପ୍ରିମ୍କୋର୍ଟ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଏଫ୍ଆଇଆର୍ ଯାଞ୍ଚରୁ ଜଣାପଡୁଛି ଯେ ପତ୍ନୀଙ୍କ ଅଭିଯୋଗ ଅସ୍ପଷ୍ଟ ଓ ଅନିର୍ଦ୍ଦିଷ୍ଟ ଥିଲା। ଏଥିରେ ଆହୁରି କୁହାଯାଇଛି ଯେ କିଛି ଅଭିଯୁକ୍ତଙ୍କର ଏହି ମାମଲା ସହିତ କୌଣସି ସମ୍ପର୍କ ନାହିଁ ଏବଂ ସେମାନଙ୍କୁ ବିନା କାରଣରେ ମାମଲା ଭିତରକୁ ଟାଣି ନିଆଯାଇଛି। ଅଦାଲତ କହିଛନ୍ତି ଯେ ବୈବାହିକ ବିବାଦରୁ ଉପୁଜିଥିବା ଆପରାଧିକ ମାମଲାରେ ନିର୍ଦ୍ଦିଷ୍ଟ ଅଭିଯୋଗ ନ ଥାଇ କେବଳ ପରିବାର ସଦସ୍ୟଙ୍କ ନାମ ଉଲ୍ଲେଖ କରିବା ଦ୍ବାରା ସେମାନେ ଦୋଷୀ ହୋଇ ଯାଆନ୍ତି ନାହିଁ। ନ୍ୟାୟିକ ଅଭିଜ୍ଞତାରୁ ଏହା ଏକ ସ୍ୱୀକୃତ ସତ୍ୟ ଯେ ବୈବାହିକ କଳହରୁ ପାରିବାରିକ କଳହ ଉପୁଜିଲେ ସ୍ୱାମୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଫସାଇବାର ପ୍ରବୃତ୍ତି ରହିଥାଏ। ଠୋସ୍ ପ୍ରମାଣ ବିନା ଏଭଳି ଅଭିଯୋଗ ମାମଲାର ଆଧାର ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରି ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ ଏନ୍ କୋଟୀଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ଆଇନଗତ ବ୍ୟବସ୍ଥା ଓ ଆଇନଗତ ପ୍ରକ୍ରିୟାର ଅପବ୍ୟବହାରକୁ ରୋକିବା ଓ ନିରୀହ ପରିବାର ସଦସ୍ୟଙ୍କୁ ଅଯଥା ନିର୍ଯାତନାରୁ ରକ୍ଷା କରିବା ପାଇଁ ଅଦାଲତ ଏଭଳି ମାମଲାରେ ସତର୍କତା ଅବଲମ୍ବନ କରିବା ଉଚିତ। ଶାଶୂଘରେ ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କ ସୁରକ୍ଷା ପାଇଁ ଆଇନ ରହିଛି, କିନ୍ତୁ ବେଳେବେଳେ ବର୍ତ୍ତମାନର ମାମଲା ଭଳି ଏହାର ଅପବ୍ୟବହାର କରାଯାଉଛି ବୋଲି କୋର୍ଟ କହିଛନ୍ତି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..