ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିଡି ଓଡ଼ିଆ ଚ୍ୟାନେଲରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହୋଇଛି। ବୁଧବାର ଏହା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରଥମକରି ପ୍ରସାରଣ କରାଯାଇଛି। ସାନ୍ତାଳୀ ଭାଷାରେ ସମାଚାର ଆରମ୍ଭ ହେବା ଜାଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରି ଦୂରଦର୍ଶନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗ୍ରହ କ୍ରମେ ଏହାକୁ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବୁଧବାର ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପତ୍ର ସୂଚନା କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଓଡ଼ିଶା ଶାଖାର ଅତିରିକ୍ତ ମହାନିର୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ ସାନ୍ତାଳୀ ଭାଷାରେ ସମାଚାର ସାନ୍ତାଳୀ ସମୁଦାୟକୁ ନିଜ ଭାଷାରେ ଖବର ଜାଣିବାରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ଅବସରରେ ଦୂରଦର୍ଶନ କେନ୍ଦ୍ରର ମୁଖ୍ୟ ତଥା ଉପ ମହାନିର୍ଦେଶକ (ଯାନ୍ତ୍ରିକ) ନରସିଂହ ଜେଠୀ, ସମ୍ମାନିତ ଅତିଥି ଆଦିବାସୀ ସାମାଜିକ-ଶିକ୍ଷା ଏବଂ ସାଂସ୍କୃତିକ ସଂଗଠନ, ଭୁବନେଶ୍ୱରର ସଭାପତି ହେମନ୍ତ କୁମାର ସୋରେନ ଓ ସାନ୍ତାଳୀ ଭାଷା ବିଶେଷଜ୍ଞ ଚୈତନ୍ୟ ମାଝୀ ଯୋଗ ଦେଇଥିଲେ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..