Report Card Odisha

| Daily Odia News

ଶିଳ୍ପ ଓ ପର୍ଯ୍ୟଟନ ହବ୍‌ ହେବ କୋରାପୁଟ….

ରିପୋର୍ଟ କାର୍ଡ / କୋରାପୁଟ

କୃଷି ପ୍ରଧାନ କୋରାପୁଟ ଜିଲ୍ଲାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ସେମିଳିଗୁଡ଼ାରେ ନୂଆ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସହ ୬୦୦ କୋଟି ବ୍ୟୟରେ ନିର୍ମାଣ ହେବ ପ୍ଲାଏଉଡ୍‌ କାରଖାନା। ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଅନୁଦାନର ଅଭାବ ରହିବ ନାହିଁ। ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ପୂରଣ ହେବ। ଜଗନ୍ନାଥ ସାଗର କାମ ଅଟକିବ ନାହିଁ। ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ, ଜୀବିକା ନିର୍ବାହ ସମସ୍ତ କ୍ଷେତ୍ରକୁ ବିକଶିତ କରାଯାଇ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଯାହା କୋରାପୁଟକୁ ଭାରତରେ ଏକ ନମ୍ବର ଜିଲ୍ଲାରେ ପରିଣତ କରିବ। ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ’ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ରାୟପୁର-ବିଶାଖାପାଟଣା ଭାରତମାଳା ସହ ଗୋପାଳପୁର-ଜୟପୁର ନୂଆ ରାଜପଥ ଅର୍ଥନୈତିକ କରିଡର୍‌ ହେବ। ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ‌ରେଳପଥ ଜମି ଅଧିଗ୍ରହଣକୁ ତ୍ବରାନ୍ବିତ କରାଯିବ। କୋରାପୁଟ-ଭୁବନେଶ୍ବର ସକାଳୁଆ ଟ୍ରେନ୍‌ ଚଳାଚଳ ଦିଗରେ ପଦକ୍ଷେପ ନିଆଯିବ। ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଦିଆଯିବ। ରାଜ୍ୟର ପ୍ରମୁଖ ଗିରିଶୃଙ୍ଗ ଦେଓମାଳିର ବିକାଶ ପାଇଁ ୩୦କୋଟି, ଡୁଡୁମା ଜଳପ୍ରପାତ ପାଇଁ ୨୦କୋଟି ଏବଂ ୩.୨୯ କୋଟି ବ୍ୟୟରେ ରାଣୀଡ଼ୁଡ଼ୁମା, ବାଲ୍ମୀକି ଆଶ୍ରମ, ବତ୍ରିଶ ସିଂହାସନର ବିକାଶ କରାଯିବ। ଜଗନ୍ନାଥ ସାଗର ପୁନରୁଦ୍ଧାର ପାଇଁ ନୂତନ ଡିପିଆର୍‌ ପ୍ରସ୍ତୁତ ପରେ ଆବଶ୍ୟକତା ଅନୁଯାୟୀ ଅନୁଦାନ ଯୋଗାଇ ଦିଆଯିବ। ମାଣ୍ଡିଆରାଣୀ ରାଇମତି ଘିଉରିଆ ଓ ସହିଦ ଲକ୍ଷ୍ମଣ ନାୟକଙ୍କ ନାତି ମଧୁ ନାୟକଙ୍କୁ ସମ୍ବର୍ଦ୍ଧିତ କରି ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଇମତିଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ବିନା ପାଠପଢ଼ାରେ ଡକ୍ଟରେଟ୍ ଲାଭ କରିବା ବିଶ୍ବରେ ବିରଳ। ରାଇମତିଙ୍କ ପ୍ରୟାସ‌ରେ ୩୦ କିସମ ମାଣ୍ଡିଆ, ୭୦ କିସମ ଧାନ ବିହନ ସଂରକ୍ଷଣ ହୋଇପାରିଛି। ଏଠାରୁ ଉତ୍ପାଦିତ ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁର ଚାହିଦା ବିଶ୍ବବଜାରରେ ରହିଛି। ବିଭିନ୍ନ ରୋଗ ପାଇଁ ଏସବୁ ରାମବାଣ ପାଲଟିଛି। କୋରାପୁଟରୁ ଉତ୍ପାଦିତ ଧାନ, ମାଣ୍ଡିଆ, କଫି ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି।। କଳାଜିରା ଧାନ ଜିଆଇ ଟ୍ୟାଗ ପାଇବା କିଛି କମ୍ କଥା ନୁହେଁ। ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଥିବା ବେଳେ ଜୟପୁର‌ରେ ଅଳ୍ପ ଦିନରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହେବ। ସେହିପରି ସମସ୍ତ ପ୍ରତିଯୋଗିତା ମୂଳକ ପରୀକ୍ଷାର ମୁଖ୍ୟ କେନ୍ଦ୍ର ହେବ ଜୟପୁର। ଅବିଭକ୍ତ କୋରାପୁଟ ସମେତ ଗଜପତି, ଗଞ୍ଜାମ ଜିଲ୍ଲାକୁ ନେଇ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୮୫.୬୧ କୋଟିର ୧୨ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ୩୯୦.୩୭ କୋଟିର ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପରିଷଦ ସଭାପତି ସସ୍ମିତା ମେଲେକା, ଆର୍‌ଡିସି ରୁପା ରୋଶନ ସାହୁ, ଏସ୍‌ପି ରୋହିତ ବର୍ମା ପ୍ରମୁଖ ମଞ୍ଚାସୀନ ଥିଲେ।

Breaking News