ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁରଙ୍କ ଆତଙ୍କରାଜ। ଆଇନଗତ କଟକଣା ଯୋଗୁ ଦୀର୍ଘ ଦିନ ହେଲା ରାଜଧାନୀରେ ବନ୍ଦ ରହିଛି କୁକୁର ବନ୍ଧ୍ୟାକରଣ। ସେପଟେ ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ରାଜଧାନୀରେ ପୁଣି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି ବିଏମସି। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ ଗତ ଦେଢ଼ ମାସ ଭିତରେ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଥିବା ପଞ୍ଜିକୃତ ହୋଇଛି। ଏଥିରୁ ସ୍ପଷ୍ଟ ଯେ ରାଜଧାନୀରେ କୁକୁର କାମୁଡ଼ା କେତେ ପରିମାଣରେ ବଢ଼ିଛି। ହାଇକୋର୍ଟଙ୍କ ରହିତାଦେଶ ଥିବାରୁ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଥିଲା। ତେବେ ଅଳ୍ପଦିନ ଭିତରେ ପୁଣିଥରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ମଞ୍ଚେଶ୍ୱରରେ ଆତ୍ୟାଧୁନିକ ହସ୍ପିଟାଲ କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି। ଅନ୍ୟପଟେ କୁକୁର କାମୁଡ଼ା ନେଇ ବିଧାନସଭାରେ ବି କୁକୁର କାମୁଡ଼ା ନେଇ ତଥ୍ୟ ରଖିଥିଲେ ପ୍ରାଣୀ ସଂପଦ ବିଭାଗ ମନ୍ତ୍ରୀ। ଏହି ତଥ୍ୟ ଅନୁସାରେ ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର। ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬ ଶହ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି। ଗତ ଦୁଇ ବର୍ଷରେ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି ୫ ଲକ୍ଷରୁ ଅଧିକ ଲୋକ। ଚଳିତ ବର୍ଷ ଅର୍ଥାତ ଏହି ୧୦ ମାସରେ ୨ଲକ୍ଷ ୪୩ ହଜାର ୫୬୫ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି ବୋଲି ମନ୍ତ୍ରୀ ଦେଇଥିବା ତଥ୍ୟରେ ଉଲ୍ଲେଖ ରହିଛି। ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ।






More Stories
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..