ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ଭୁବନେଶ୍ୱର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ୩ଟି ରାଜ୍ୟର ରାଜ୍ୟପାଳ ଅଦଳବଦଳ ହୋଇଥିବା ବେଳେ ୨ଟି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମିଜୋରାମ ରାଜ୍ୟପାଳ ଡଃ ହରି ବାବୁ କାମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅବସରପ୍ରାପ୍ତ ଜେନେରାଲ (ଡଃ) ବିଜୟ କୁମାର ସିଂହଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ ଓ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ମଣିପୁରର ରାଜ୍ୟପାଳ ଭାବେ ଅଜୟ କୁମାର ଭଲ୍ଲାଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ସେମାନେ ନିଜ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।

ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ପୁଅଙ୍କ ବିବାଦୀୟ କାର୍ଯ୍ୟ ପାଇଁ ରଘୁବର ବିବାଦଘେରକୁ ଆସିଥିଲେ। ଗତବର୍ଷ ଅକ୍ଟୋବର ୧୮ତାରିଖରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ସୂଚନା ଅନୁସାରେ, ମିଜୋରାମର ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡଃ କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରୁ ମିଜୋରାମର ରାଜ୍ୟପାଳ ଅଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..