Report Card Odisha

| Daily Odia News

ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ଫାଣ୍ଡି ଅଧିକାରୀ ନିଲମ୍ବିତ…..

ରିପୋର୍ଟ କାର୍ଡ / ବାଲେଶ୍ୱର

ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ଏହି ମାମଲାରେ ବାଲେଶ୍ୱର ଏସ୍‌ପି ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି। ଏପରି ଜଘନ୍ୟ କାଣ୍ଡ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଗତ ୨୨ ତାରିଖରେ ଘଟିଥିଲା। ଦିନ ଦ୍ୱିପ୍ରହରରେ ଫାଣ୍ଡିଠୁ ମାତ୍ର ୫ଶହ ମିଟର ଦୂରରେ ଘଟିଥିଲା। ଏନେଇ ପରିବାର ଲୋକେ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତିଙ୍କୁ ସୂଚନା ଦେବା ସହ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ମୁକୁଳାଇବାକୁ ଗୁହାରୀ କରିଥିଲେ। ମାତ୍ର ଫାଣ୍ଡି ଅଧିକାରୀ ଏହାକୁ କର୍ଣ୍ଣପାତ କରିନ ଥିଲେ। ଫଳରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ପୂର୍ବେ ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ ତାଲା ଭାଙ୍ଗି ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଚୋରମାନଙ୍କର କୌଣସି ସନ୍ଧାନ ମିଳି ନଥିଲା । ଗତ ୨୨ ତାରିଖରେ ଅଜୟ ଦାସ ଏବଂ ତାଙ୍କ ଦୁଇ ପୁଅ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରିଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ଘରୁ ଡାକି ଆଣିଥିଲେ। ସେମାନେ ସମସ୍ତଙ୍କୁ ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ଖୁଣ୍ଟି ରେ ବାନ୍ଧି ଲୁହା ରଡ ଓ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ । ଛାଡ଼ିବାକୁ କାକୁତିମିନତି ହେଲେ ବି ସେମାନେ କିନ୍ତୁ କୌଣସି କଥାକୁ କର୍ଣ୍ଣପାତ କରି ନ ଥିଲେ। ପ୍ରବଳ ମାଡ଼ ଯୋଗୁ ଘଟଣାସ୍ଥଳରେ ତ୍ରିଲୋଚଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

Breaking News