Report Card Odisha

| Daily Odia News

ଚର୍ଚ୍ଚାରେ ବିଜେଡି କାର୍ଯ୍ୟାଳୟରେ ଦୁଇ ନେତ୍ରୀ ଚାପୁଡ଼ା ମରାମରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶୃଙ୍ଗଳିତ ଦଳ କହି ଆସୁଥିବା ବିଜେଡିରେ ବିଶୃଙ୍ଖଳା ପଦାରେ ପଡିଛି । ସାମାନ୍ୟ ଚୌକିକୁ ନେଇ ଶଙ୍ଖ ଭବନରେ ଦୁଇ ନେତ୍ରୀ ହାତାହାତି ହେବା ଦଳର ବିଶୃଙ୍ଖଳା ଦେଖିବାକୁ ମିଳିଛି। ୨୮ ବର୍ଷ ହେବ ଯାହା ହୋଇ ନଥିଲା, ସରକାର ଯିବା ପରେ ଏ ବିଶୃଙ୍ଖଳା ଦଳ ଭିତରେ କମ୍ପନ ସୃଷ୍ଟି କରିଛି | ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖଭବନ’ରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଅଘଟଣ ଘଟିଛି। ବିଜେଡି ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ଆକ୍ରମଣ ହୋଇଛି। ତାଙ୍କୁ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି ରଣା ସର୍ବସମ୍ମୁଖରେ ଚାପୁଡ଼ା ମାରିଥିବାର ଭିଡିଓ ଭାଇରାଲ୍‌ ହେଉଛି। ଏହି ସମୟରେ ଶହଶହ କର୍ମୀ ଓ ଦଳୀୟ ନେତା ଉପସ୍ଥିତ ଥିଲେ। କୁହାଯାଉଛି ଚେୟାରରେ ବସିବାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ପୁଷ୍ପାଞ୍ଜଳି ନୁହନ୍ତି ତାଙ୍କ ସହ ଥିବା ସମସ୍ତ ମହିଳା ମଧ୍ୟ ଇପସିତାଙ୍କୁ ଆକ୍ରମଣ କରିଥିବା ‌ଦେଖିବାକୁ ମିଳିଛି। ତେବେ ବିଜେଡି କାର୍ଯ୍ୟାଳୟରେ ଏହି ବିଶୃଙ୍ଖଳାକୁ ବିଜେଡି ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି। ଶାସନରେ ଥିବା ବେଳେ ନବୀନଙ୍କ କାର୍ଯ୍ୟକ୍ରମ ପୂର୍ବ ଓ ପରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ ସେନେଇ ସମସ୍ତେ ସଜାଗ ଥିଲେ। ନବୀନଙ୍କୁ ସମ୍ମାନ ହେଉ କି ଭୟ ବିଶୃଙ୍ଖଳା ତ ଦୂରର କଥା, ବଡ଼ ପାଟିରେ କଥା ହେବାକୁ ବଡ଼ ବଡ଼ ନେତା ସାହସ କରୁ ନ ଥିଲେ। ହେଲେ କ୍ଷମତାରୁ ଯିବା ପରେ ଦଳୀୟ କାର୍ଯ୍ୟାଳୟରେ ଏ ଘଟଣା ଅନେକ ଚର୍ଚ୍ଚାକୁ ବଳ ଦେଇଛି। ସାମାଜିକ ଗଣମାମଧ୍ୟରେ ଏ ଘଟଣାକୁ ବିଜେଡି କର୍ମୀଙ୍କ ସମେତ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ତେବେ ବିଜେଡି ନେତ୍ରୀ ପୁଷ୍ପାଜ୍ଞଳି ରାଣା କହିଛନ୍ତି, ‘‘ବିଜେଡି ସଭାପତି ଯିବା ପରେ ମୁଁ ବସିଥିଲି। ମୋତେ ଉଠ କହି ମୋ ଶାଢ଼ୀ ଟାଣିଥିଲେ ଇପ୍‌ସିତା। ଯାହା ଫଳରେ ମୁଁ ଧକ୍କା ମାରିଲି। ଏହି ସମୟରେ ଅଶୋକ ପଣ୍ଡାଙ୍କ ପରି ଅନେକ ବରିଷ୍ଠ ନେତା ଥିଲେ। ସେମାନେ ଛଡ଼େଇଲେ। ପରେ ଦେବୀ ମିଶ୍ର ଡାକିଥିଲେ। ମୁଁ ଭୁଲ ମାଗିଲି। ହେଲେ ଇପ୍‌ସିତା ଭୁଲ ମାଗିବା ବଦଳରେ ଟେବୁଲ ବାଡ଼େଇ କଥା ହେଲେ। ଏ ନେଇ ଶୁକ୍ରବାର ନବୀନ ନିବାସରେ ବୈଠକ ଅଛି।

Breaking News