Report Card Odisha

| Daily Odia News

ଓଲଟିଲା ବସ୍‌: ୨ ମୃତ, ୨୮ ଆହତ…..

ରିପୋର୍ଟ କାର୍ଡ / କୋରାପୁଟ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଡକରି ଘାଟିର ସୁକୁ ନାଳ ନିକଟରେ ଏକ ବସ୍ ଓଲଟି ପଡିଛି | ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି। ମୃତାହତମାନେ କଟକ ଜିଲ୍ଲା ନିଆଳି ଅଞ୍ଚଳର। ସୂଚନା ଅନୁଯାୟୀ, ନିଆଳି ଅଞ୍ଚଳର କେତୋଟି ପରିବାର ଏକ ବସ୍ ଭଡ଼ା କରି ରାଜ୍ୟ ବିଭିନ୍ନ ମନ୍ଦିର ଦର୍ଶନରେ ଯାଇଥିଲେ। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଗତକାଲି କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରିବା ପରେ କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଯାଉଥିଲେ। ଆଜି ସକାଳେ ସେମାନେ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରିଥା’ନ୍ତେ। ତେବେ ଭୋରରେ ବସ୍‌ଟି ଡକରି ଘାଟି ପାର ହେଉଥିବା ବେଳେ ସୁକୁ ନାଳ ନିକଟରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହତମାନଙ୍କୁ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Breaking News