Report Card Odisha

| Daily Odia News

ମୋତେ କ୍ଷମା କରିଦେବେ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ଷ ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ। ମେ’ ୩, ୨୦୨୩ମସିହାରୁ ଘଟିଚାଲିଥିବା ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ଭବିଷ୍ୟତରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଚେଷ୍ଟା କରୁଛି। ତେଣୁ ଆସନ୍ତା ନୂଆ ବର୍ଷରେ ଅତୀତକୁ ଭୁଲି ମୋତେ କ୍ଷମା କରିବେ ବୋଲି ସେ ମଣିପୁରବାସୀଙ୍କୁ ନିବେଦନ କରିଛନ୍ତି। ମଙ୍ଗଳବାର ରାଜଧାନୀ ଇମ୍ଫାଲରେ ଥିବା ତାଙ୍କ ବାସଭବନରେ ସେ ଏହି ମନ୍ତବ୍ୟ ଦେଇ ସରକାରଙ୍କ ବିକାଶ କାର୍ଯ୍ୟ, ସଫଳତା ଏବଂ ଆଗାମୀ ବର୍ଷ ପାଇଁ ଥିବା ଯୋଜନା ଉପରେ ଆଲୋକପାତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିରେନ ସିଂ କହିଛନ୍ତି ଯେ,”୨୦୨୪ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଗତ ମେ’ ୩ ତାରିଖରୁ ଆଜି ପର୍ଯ୍ୟନ୍ତ ଯାହା ଘଟୁଛି ସେଥିପାଇଁ ମୁଁ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ଅନେକ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। ଅନେକ ଲୋକ ନିଜ ଘର ଛାଡି ଚାଲିଯାଇଛନ୍ତି। ମୁଁ ଦୁଃଖିତ। ମୁଁ କ୍ଷମା ପ୍ରାର୍ଥନା କରୁଛି। କିନ୍ତୁ ଗତ ତିନିରୁ ଚାରି ମାସ ମଧ୍ୟରେ ଆମେ ଶାନ୍ତି ଆଡକୁ ଅଗ୍ରଗତି କରୁଥିବା ନେଇ ଦେଖିବା ପରେ ମୁଁ ଆଶା କରୁଛି, ମୁଁ ବିଶ୍ୱାସ କରୁଛି ୨୦୨୫ସୁଦ୍ଧା ରାଜ୍ୟରେ ସ୍ୱାଭାବିକତା ଫେରି ଆସିବ।” ସେ ଆହୁରି ମଧ୍ୟ କହିଛନ୍ତି, ବିମାନ ଯାତ୍ରା ବେଳେ ମହଙ୍ଗା ଟିକେଟ ସମସ୍ୟାର ସମାଧାନ ପାଇଁ ମଣିପୁର ସରକାର ସୁଲଭ ମୂଲ୍ୟରେ ଏଲାଇନ୍ସ ବିମାନ ସେବା ଆରମ୍ଭ କରିବେ। ଏହା ଅଧୀନରେ ବିମାନ ଭଡା ୫୦୦୦ରୁ ଅଧିକ ହେବ ନାହିଁ। ମଣିପୁର ସରକାର ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଭଡା ଉପରେ ସବସିଡି ପ୍ରଦାନ କରିବେ। ଏହି ବିମାନ ସେବା ସପ୍ତାହରେ ଦୁଇଥର ଇମ୍ଫାଲ-ଗୌହାଟି, ଇମ୍ଫାଲ-କୋଲକାତା ଏବଂ ଇମ୍ଫାଲ-ଦିମାପୁର ରୁଟରେ ଉଡ଼ାଣ କରିବ।

Breaking News