Report Card Odisha

| Daily Odia News

ଚୀନରେ ଏଚ୍‌ଏମ୍‌ପିଭି ସଂକ୍ରମଣ,ଲକ୍ଷଣ ଓ ପ୍ରତିକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚୀନରେ ହ୍ୟୁମ୍ୟାନ ମେଟାନ୍ୟୁମୋଭାଇରସ୍‌ (ଏଚ୍‌ଏମ୍‌ପିଭି) ନାମରେ ନୂଆ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି। ଚୀନର ସଂକ୍ରମଣ ସ୍ଥିତିକୁ ସରକାର ନିୟମିତ ଅନୁଧ୍ୟାନ କରୁଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସହିତ ନୂଆ ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସେବା ମହାନିର୍ଦେଶକ (ଡିଜିଏଚ୍‌ଏସ୍‌) ଡାକ୍ତର ଅତୁଲ ଗୋୟଲ ଶୁକ୍ରବାର କହିଛନ୍ତି ଯେ ଭାରତରେ ଏଚ୍‌ଏମପିଭି ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେଣୁ ଏଥିପାଇଁ ଭୟଭୀତ ହେବାର ନାହିଁ। ଶ୍ବାସକ୍ରିୟା ଜନିତ କୌଣସି ପ୍ରକାର ସଂକ୍ରମଣ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଯଦି କାହାର କାଶ, ଛିଙ୍କ ଓ ଥଣ୍ଡା ଜ୍ବର ହେଉଥାଏ ତେବେ ସେ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍। ଏହାଦ୍ବାରା ସଂକ୍ରମଣ ବୃଦ୍ଧିକୁ ରୋକାଯାଇପାରିବ। ଥଣ୍ଡା ଓ ଜ୍ବର ପାଇଁ ନିୟମିତ ଔଷଧ ସେବନ ଜରୁରୀ। ସାଧାରଣତଃ ଶୀତ ଋତୁରେ ଶ୍ବାସକ୍ରିୟା ଜନିତ ସଂକ୍ରମଣ ବୃଦ୍ଧି ପାଇଥାଏ। ଏଥିପାଇଁ ଡାକ୍ତରଖାନା ଗୁଡିକରେ ଆବଶ୍ୟକ ଶଯ୍ୟା ଓ ଔଷଧ ଯୋଗାଣ ଜାରି ରହିଛି। ଏଚ୍‌ଏମ୍‌ପିଭି ଭୂତାଣୁ ସଂକ୍ରମଣରେ ଥଣ୍ଡା ବା ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହା ଉପର ପାର୍ଶ୍ବ ଶ୍ବାସକ୍ରିୟାକୁ ପ୍ରଭାବିତ କରିଥାଏ। ସମୟକ୍ରମେ ଏହା ନିମ୍ନ ଭାଗ ଶ୍ବାସକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ଭୂତାଣୁ ସଂକ୍ରମଣରେ ଜ୍ବର ହେବା ସହିତ କାଶ, ନାକ ରୁନ୍ଧି ହେବା, ଗଳା ଦରଜ, ଶ୍ବାସକ୍ରିୟାରେ କଷ୍ଟ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏପରି ଲକ୍ଷଣ ୩ରୁ ୬ଦିନ ଲାଗି ରହିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା କିମ୍ବା କାଶ ଓ ଛିଙ୍କରୁ ଏହି ଭୂତାଣୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ। ତେଣୁ ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ଦରକାର। ଏହା ସହିତ ସଂକ୍ରମଣରୁ ରକ୍ଷା ପାଇଁ ହାତକୁ ନିୟମିତ ଭାବେ ସାବୁନ୍‌ ଓ ପାଣିରେ ଧୋଇବା ଦରକାର। କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ କପଡାରେ ଘୋଡେଇ ରଖନ୍ତୁ। ଆବଶ୍ୟକ ସମୟରେ ମାସ୍କ ପିନ୍ଧନ୍ତୁ। ହାତ ନ ଧୋଇ ନାକ, ପାଟି ଆଖିକୁ ସ୍ପର୍ଶ କରନ୍ତୁ ନାହିଁ। ନିଜେ ଯଦି ଅସୁସ୍ଥ ଅନୁଭବ କରୁଛ ତେବେ ଏକାନ୍ତବାସ (ସେଲ୍‌ଫ ଆଇସୋଲେସନ)ରେ ରୁହନ୍ତୁ। କାରଣ ସଂକ୍ରମିତ ବ୍ୟକ୍ତିଙ୍କ ନାକ ଓ ପାଟିରୁ ବାହାରୁଥିବା ଜଳୀୟ କଣିକା (ଡ୍ରପଲେଟ୍ସ) ଅନ୍ୟକୁ ସଂକ୍ରମିତ କରିଥାଏ। ଇନଫ୍ଲୁଏନଞ୍ଜା ଏ, ଏଚଏମପିଭି ଭୂତାଣୁ କୋଭିଡ୍-୧୯ ଭୂତାଣୁ ଅନୁରୂପ।

Breaking News