ରିପୋର୍ଟ କାର୍ଡ / ପୁରୀ
ଚଳିତ ମାସ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ବେଳାଭୂମି ମହୋତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଏହା ପ୍ରକାଶ କରିଛନ୍ତି। ଖୁବ୍ଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ। ଏହାପରେ ଅଳଙ୍କାର ଗଣତିମଣତି ହେବ ବୋଲି ସେ କହିଛନ୍ତି। ନାଟମଣ୍ଡପ ଭିତରେ ଶ୍ରଦ୍ଧାଳୁ ଶୃଙ୍ଖଳିତଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ଼ କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖୁବ୍ଶୀଘ୍ର ନୂତନ ପ୍ରକଳ୍ପ ଯୋଡ଼ି ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ନୂଆ ନକ୍ସା ମଧ୍ୟରେ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ ମଣ୍ଡପ ରହିବ। ସାଧାରଣତଃ ସନାତନ ଧର୍ମର ମୂଳପିଣ୍ଡ ହେଉଛି ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଘୃତ ଯଜ୍ଞ। ବୈଦିକ ପରମ୍ପରାର ମୂଳ ଅଙ୍ଗ ଘୃତ ଯଜ୍ଞ ବା ହୋମ ଯଜ୍ଞ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଏକ ଉତ୍କଳୀୟ କାରୁକାର୍ଯ୍ୟରେ ଭବ୍ୟ ଯଜ୍ଞଶାଳା ନିର୍ମାଣ ହେବ। ସେଥିରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଜମାନଙ୍କ ଦାନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବିଶ୍ୱର ମଙ୍ଗଳ ପାଇଁ ଘୃତାହୃତି ଦିଆଯିବା ନିମନ୍ତେ ପ୍ରସ୍ତାବ ରହିଛି। ସେହିଭଳି ଜ୍ଞାନ ଯଜ୍ଞ ଆଧାରରେ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସମ୍ପର୍କରେ ଅବଗତ କରାଇବା ପାଇଁ ଡକୁମେଣ୍ଟାରି, ଅଡିଟୋରିୟମ ବ୍ୟବସ୍ଥା ଚିନ୍ତା କରାଯାଉଛି। ଅନ୍ନ ଯଜ୍ଞ ମାଧ୍ୟମରେ ବିନାମୂଲ୍ୟରେ ଶ୍ରଦ୍ଧାଳୁଙ୍କୁ ପ୍ରେତ୍ୟକ ଦିନ ନିଃଶୁଳ୍କ ମହାପ୍ରସାଦ ପରଶା ଯିବା ସହ ସ୍ୱଳ୍ପ ମୂଲ୍ୟରେ ପ୍ରସାଦ ବିକ୍ରି ପାଇଁ ପ୍ରସ୍ତାବ ରହିଛି। ଏନେଇ ଖୁବ୍ଶୀଘ୍ର କଲଚରାଲ ଆଡ଼ଭାଇଜରୀ କମିଟି ଗଠନ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।






More Stories
ଡିଇଏଲ୍ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍…..
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଡିଜିପିଙ୍କ ସମୀକ୍ଷା….
୧୩ରେ ରାଜ୍ୟ କ୍ୟାବିନେଟ୍…..