Report Card Odisha

| Daily Odia News

ଆଜି ସଞ୍ଜୟ ରୟର ଦଣ୍ଡ ଶୁଣାଣି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଛି। ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ସୋମବାର ତାର ଦଣ୍ଡ ଶୁଣାଣି କରିବେ କୋର୍ଟ। କୋର୍ଟଙ୍କ ଏହି ରାୟ ଆସିବା ବେଳେ ମୃତ ଟ୍ରେନି ଡାକ୍ତରଙ୍କ ବାପା ସେଠାରେ ଉପସ୍ଥିତ ଥିଲେ। ସେ କାନ୍ଦି ଥିଲେ ଓ ବିଚାରପତିଙ୍କୁ କହିଥିଲେ, ଆପଣଙ୍କ ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଥିଲା। ଆମ ବିଶ୍ୱାସକୁ ସମ୍ମାନ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ଉପସ୍ଥିତ ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା। ସେ କହିଥିଲା, ମୁଁ ମୋ ବେକରେ ସବୁବେଳେ ରୁଦ୍ରାକ୍ଷର ଏକ ମାଳ ପିନ୍ଧେ। ଯଦି ମୁଁ ଅପରାଧ କରିଥିଲି, ତା’ହେଲେ ଘଟଣାସ୍ଥଳରେ ମୋର ସେହି ରୁଦ୍ରାକ୍ଷ ମାଳ ଛିଣ୍ଡି ପଡ଼ିଥିବା କଥା। ମୁଁ ଏହି ଅପରାଧ କରି ନାହିଁ। ମୋତେ ଫସାଇ ଦିଆଯାଇଛି। ଯେଉଁମାନେ ମୋତେ ଫସାଇ ଦେଇଛନ୍ତି, ସେମାନଙ୍କୁ ଜାମିନ୍ ମିଳିଛି। ସେମାନଙ୍କୁ କାହିଁକି ଛଡ଼ାଗଲା ବୋଲି ସେ ପ୍ରଶ୍ନ କରିଥିଲା। ଏହା ଶୁଣି ଜଜ୍‌ କହିଥିଲେ ଯେ କୋର୍ଟ ସୋମବାର ତୁମ ଯୁକ୍ତି ଶୁଣିବେ। ବର୍ତ୍ତମାନ ତୁମକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଉଛି। ସଞ୍ଜୟ ରୟଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ଧାରା ୬୬ (ମାରିଦେବା ପାଇଁ ଦଣ୍ଡ) ଓ ଧାରା ୧୦୩-୧(ହତ୍ୟା)ରେ ମାମଲା ରୁଜୁ ହୋଇଥିଲା। ଧାରା ୬୪ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଧାରା ୬୬ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଏବଂ ୧୦୩ (୧) ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ରହିଛି। ତେଣୁ ସୋମବାର କୋର୍ଟ ସଞ୍ଜୟ ରୟକୁ କି ଦଣ୍ଡ ଶୁଣାଇବେ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Breaking News