ରିପୋର୍ଟ କାର୍ଡ / ମାଲକାନଗିରି
୨୪ଘଣ୍ଟା ମଧ୍ୟରେ ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କୁ ଡବଲ୍ ଝଟ୍କା ଲାଗିଛି। ଗତକାଲି ଯବାନଙ୍କ ଗୁଳିରେ ୧୬ ନକ୍ସଲ ନିହତ ହୋଇଥିବା ବେଳେ ବୁଧବାର ନକ୍ସଲଙ୍କ ହାଇଟେକ୍ ତାଲିମ କେନ୍ଦ୍ରକୁ ଧ୍ୱଂସ କରାଯାଇଛି। ଏହାସହ ନକ୍ସଲ ଖଞ୍ଜିଥିବା ୮ ଲ୍ୟାଣ୍ଡମାଇନ୍କୁ ମଧ୍ୟ ନିଷ୍କ୍ରିୟ କରିଛନ୍ତି। ଛତିଶଗଡ଼କୁ ନକ୍ସଲ ମୁକ୍ତ କରିବାକୁ ଅପରେସନ୍ ଜୋରଦାର କରିବା ସହ ଗୋଟି ଗୋଟି କରି ଠିକଣାକୁ ଚିହ୍ନଟ କରି ଧ୍ବଂସ କରୁଛନ୍ତି ସୁରକ୍ଷାକର୍ମୀ। ଏହିକ୍ରମରେ ତେଲେଙ୍ଗାନା ଓ ବିଜାପୁର ସୀମାନ୍ତ ଭଟ୍ଟିଗୁଡ଼ା ଜଙ୍ଗଲରେ ନକ୍ସଲଙ୍କ ହାଇଟେକ୍ ତାଲିମ କେନ୍ଦ୍ରକୁ ଆଜି ଠାବ କରାଯାଇଛି। ଏହି କେନ୍ଦ୍ରରେ କ୍ରମେଡ୍ କଟକମ ସୁଦର୍ଶନଙ୍କ ଉଦ୍ଦେଶ୍ୟରେ ୫୦ଫୁଟ୍ ଉଚ୍ଚ ଗୋଟିଏ ସହିଦ ସ୍ମାରକୀ ମଧ୍ୟ ନିର୍ମାଣ କରିଥିଲେ। ନୂଆ ସଦସ୍ୟଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯାଉଥିଲା। ବହୁ ସଂଖ୍ୟାରେ କୁଡ଼ିଆ ଘର ନିର୍ମାଣ ହୋଇଥିଲା। ସଂଗଠନର ଟପ୍ କ୍ୟାଡର ମଧ୍ୟ ନିୟମିତ ବୈଠକ କରୁଥିଲେ। ପ୍ରଜାକୋର୍ଟ ମଧ୍ୟ ଏଠାରେ ହେଉଥିଲା। ସହିଦ ସପ୍ତାହ ଓ ପିଏଲ୍ଜିଏ ସପ୍ତାହ ଧୁମ୍ଧାମରେ ପାଳନ କରୁଥିଲେ ବୋଲି କୁହାଯାଉଛି। ଘଞ୍ଚ ଜଙ୍ଗଲରେ ଏହି କେନ୍ଦ୍ର ରହିଥିବାରୁ କେହି ଟେର୍ ପାଉନଥିଲେ। ଆଜି ବିଜାପୁର କୋବ୍ରା ଯବାନ ଏହି କେନ୍ଦ୍ରକୁ ମାଟିରେ ମିଶାଇ ଦେଇଛନ୍ତି ସେହିପରି ସୀମାନ୍ତ ମୁତବେଣ୍ଡି-ପିଡ଼ିଆ ଗାଁ ମଝିରେ ଆଜି ସର୍ଚ୍ଚ ଅପରେସନ୍ ସମୟରେ ସିଆରପିଏଫ୍ ଓ କୋବ୍ରା ଯବାନ ଲ୍ୟାଣ୍ଡମାଇନ୍ ଠାବ କରିଛନ୍ତି। କିଛି ମିଟର ବ୍ୟବଧାନରେ ୮ଟି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ନକ୍ସଲ। ପ୍ରତ୍ୟେକ ଲ୍ୟାଣ୍ଡମାଇନ୍ର ଓଜନ ୫କିଲୋ ଥିଲା ବୋଲି ଜଣାପଡ଼ିଛି। ମାଟି ତଳୁ ବୋମାକୁ ବାହାର କରି ନିଷ୍କ୍ରିୟ କରାଯାଇଛି। ଦନ୍ତେୱାଡ଼ାରେ ଆଇଇଡି ବିସ୍ଫୋରଣରେ ଡିଆର୍ଜି ଯବାନ ସହିଦ ହେବାପରେ ଅପରେସନ୍ରେ ସାମିଲ ଯବାନ ଅଧିକ ସତର୍କ ହୋଇଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……