Report Card Odisha

| Daily Odia News

ମହାରାଷ୍ଟ୍ରର ଟ୍ରେନ ଦୁର୍ଘଟଣା: ଚା‘ ବିକାଳି ଗୁଜବ ପ୍ରଚାର କରିଥିଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ବୁଧବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଲକ୍ଷ୍ନୌରୁ ମୁମ୍ବାଇ ଆସୁଥିବା ପୁଷ୍ପକ ଏକ୍ସପ୍ରେସର ଗୋଟିଏ କୋଚ୍‌ରେ ନିଆଁ ଲାଗି ଯାଇଥିବା ଗୁଜବ ପରେ କିଛି ଲୋକ ଟ୍ରେନରୁ ପାଖରେ ଥିବା ଟ୍ରାକକୁ ଡେଇଁ ପଡ଼ିଥିଲେ। ଏତିକି ବେଳେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା କର୍ଣ୍ଣାଟକା ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିଯୋଗୁ ୧୩ ଜଣ ଙ୍କର ମୃତ୍ୟୁ ହୋଇଛି। ଅନେକ ଏବେ ବି ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ ପ୍ରଚାର ହୋଇଥିଲା | ରେଳ ଅଧିକାରୀମାନେ ଯାଞ୍ଚ କରି ଟ୍ରେନରେ କୌଣସି ପ୍ରକାରର ନିଆଁ ଲାଗି ନଥିବା ସ୍ପଷ୍ଟ କରିଛନ୍ତି। ହେଲେ ଏବେ ଜଣେ ପ୍ରତ୍ୟେକ୍ଷଦର୍ଶୀ ନିଆଁ ଗୁଜବ ପଛରେ କିଏ ଥିଲେ, ତା’ର ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ଯାତ୍ରୀମାନେ ବେଶ ହସଖୁସିରେ ଯାତ୍ରା କରୁଥିଲେ। ଏହି ସମୟରେ କୋଚରେ ବୁଲିବୁଲି ଚା’ ବିକ୍ରି କରୁଥିବା ଜଣେ ବ୍ୟକ୍ତି ନିଆଁ ଲାଗି ଯାଇଥିବା କହି ଚିତ୍କାର କରିଥିଲେ। ଏହାପରେ ସେ ଚେନ୍‌ରୁ ଜରୁରିକାଳୀନ ଚେନ୍‌କୁ ଭିଡ଼ି ଦେଇଥିଲେ। ଟ୍ରେନ ଅଟକି ଯିବାରୁ ଯାତ୍ରୀମାନେ ଭୟରେ ତଳକୁ ଡେଇଁ ପଡ଼ିଥିଲେ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ବାବାଦୀପ ଶୋଭାରାମ ପାସୱାନ ଘଟଣା ସମ୍ପର୍କରେ ମନେ ପକାଇ କହିଛନ୍ତି ଯେ “ଜଣେ ଚା ବିକାଳୀ ଟ୍ରେନରେ ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲେ। ଏହାପରେ ସେ ହିଁ ଟ୍ରେନର ଚେନକୁ ପୁଲ୍ କରିଥିଲେ। ଚେନ ଭିଡ଼ିବା ଯୋଗୁ ଟ୍ରେନର ଗତି କମି ଯାଇଥିଲା। ସେତେବେଳକୁ ଟ୍ରେନରେ ନିଆଁ ଲାଗି ଯାଇଥିବା କଥା ବ୍ୟାପି ଯାଇଥିଲା। ଟ୍ରେନର ଗତି ଧିମା ହେବା ମାତ୍ରେ ଲୋକମାନେ ଜୀବନ ବକଳରେ ତଳକୁ ଡେଇଁବା ଆରମ୍ଭ କରିଥିଲେ। କିଛି ଲୋକ ସିଧାସଳଖ ସେହି ଟ୍ରାକକୁ ଡେଇଁଥିଲେ ଯେଉଁଥିରେ ବେଙ୍ଗାଲୁରୁ ଏକ୍ସପ୍ରେସ ଆସୁଥିଲା। ଆଉ କିଛି ଲୋକ ବିପରୀତ ଦିଗକୁ ମଧ୍ୟ ଡିଆଁ ମାରିଥିଲେ। ସେମାନେ ଡେଇଁ ଥିବା ପାର୍ଶ୍ୱରେ କୌଣସି ଟ୍ରାକ ନଥିଲା। ନଚେତ ସ୍ଥିତି ଆହୁରି ଭୟଙ୍କର ରୂପ ନେଇଥାଆନ୍ତା। ଆହୁରି ଅଧିକ ଲୋକଙ୍କ ଜୀବନ ଯିବାର ଆଶଙ୍କା ଥିଲା।”

Breaking News