Report Card Odisha

| Daily Odia News

ସମାନ ନାଗରିକ ସଂହିତା ଲାଗୁ କଲା ଉତ୍ତରାଖଣ୍ଡ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ଲାଗୁ କରିଛି ଉତ୍ତରାଖଣ୍ଡ। ଆଜି ଏହା ଲାଗୁ ହୋଇଥିବାବେଳେ ଏ କ୍ଷେତ୍ରରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହା ଲାଗୁ ହେବା ପରେ ରାଜ୍ୟରେ ବିବାହ, ଲିଭ-ଇନ-ରିଲେସନଶିପ, ସମ୍ପତ୍ତି ଏବଂ ବହୁବିବାହ ପ୍ରସଙ୍ଗ ଆଦି ଉପରେ କଟକଣା ରହିବ। ଅର୍ଥାତ ଏଣିକି ବିବାହ ପାଇଁ ପଞ୍ଜୀକରଣକରିବାକୁ ହେବ। ସମସ୍ତ ଧର୍ମ ଲାଗି ଛାଡ଼ପତ୍ର ଆଇନ ସମାନ ହେବ। ବହୁବିବାହ ଏବଂ ହଲାଲା ଭଳି ପ୍ରଥା ବନ୍ଦ ହେବ।

ଜାଣନ୍ତୁ ଏହି ନୂଆ ଆଇନରେ କ’ଣ ବ୍ୟବସ୍ଥା ରହିଛି …

୧- ବିବାହ ପଞ୍ଜୀକରଣ: ୟୁସିସି ଲାଗୁ ହୋଇଥିବାରୁ ଏବେଠାରୁ ରାଜ୍ୟରେ ବିବାହ ପାଇଁ ଅନଲାଇନରେ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଛି। ଏଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି, ଯାହାଫଳରେ କାହାକୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ୨୦୧୦ ମାର୍ଚ୍ଚ ୨୭ ପରଠାରୁ ଯେଉଁମାନେ ବିବାହ କରିଛନ୍ତି ସେମାନେ ପଞ୍ଜୀକରଣ କରିବା ଅନିବାର୍ଯ୍ୟ। ବିବାହର ୬ ମାସ ମଧ୍ୟରେ ପଞ୍ଜୀକରଣ କରାଯିବ।

୨-ଲିଭ-ଇନ-ରିଲେସନଶିପ: ନୂଆ ଆଇନ ଅନୁସାରେ କୌଣସି ଯୁବକ ଓ ଯୁବତୀ ଲିଭ-ଇନ-ରିଲେସନଶିପରେ ରହିବାକୁ ଚାହିଁଲେ ମା’ବାପାଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ। ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଅବିବାହିତ ଦମ୍ପତିଙ୍କୁ ନିଜର ସମ୍ପର୍କ ବିଷୟରେ ଅବଗତ କରିବାକୁ ହେବ, ଯାହା ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଯଦି ସେମାନେ ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହାନ୍ତି, ତେବେ ଏ ନେଇ ମଧ୍ୟ ରେଜିଷ୍ଟ୍ରାରଙ୍କୁ ସୂଚିତ କରାଇବେ। ସେମାନଙ୍କଠାରୁ ଜନ୍ମିତ ସନ୍ତାନଙ୍କୁ ବୈଧ ମାନ୍ୟତା ମିଳିବ। ସମ୍ପର୍କ ଚ୍ଛିନ୍ନ ହେବା ପରେ ମହିଳା ଭରଣପୋଷଣ ଭତ୍ତା ଦାବି କରିପାରିବେ। ବିନା ସୂଚନାରେ ଲିଭ-ଇନରେ ରହିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

୩- ପୁଅ-ଝିଅଙ୍କୁ ସମ୍ପତ୍ତିରେ ସମାନ ଅଧିକାର: ସମ୍ପତ୍ତି ଅଧିକାରରେ ପିଲାମାନଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ। ଲିଭ-ଇନ- ସମ୍ପର୍କରେ ଜନ୍ମିତ ସନ୍ତାନ ବି ଏହି ଅଧିକାର ପାଇବେ। ଏହି ଆଇନ ଅଧୀନରେ ସମସ୍ତ ଥର୍ବ ଏବଂ ସମ୍ପ୍ରଦାୟର ଝିଅଙ୍କୁ ବି ସମ୍ପତ୍ତିରେ ସମାନ ଅଧିକାର ଦିଆଯିବ।

୪-ମା’ବାପାଙ୍କୁ ବି ସମ୍ପତ୍ତିରେ ଅଧିକାର: କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ସମ୍ପତ୍ତିକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଯେପରି କୌଣସି ପ୍ରକାର ମତଭେଦ ସୃଷ୍ଟି ନ ହୁଏ, ସେଥିଲାଗି ମୃତକଙ୍କ ସମ୍ପତ୍ତି ଉପରେ ତାଙ୍କ ସ୍ତ୍ରୀ, ପିଲା ଏବଂ ମା’ବାପାଙ୍କ ସମାନ ଅଧିକାର ରହିବ।

୫- ହଲାଲା-ବହୁବିବାହ ଉପରେ ରୋକ୍‌: ୟୁସିସି ଅନୁସାରେ ଇସଲାମରେ ପ୍ରଚଳିତ ହଲାଲା ପ୍ରଥା ଉପରେ ରୋକ୍‌ ଲଗାଯାଇଛି। ଏହାବ୍ୟତୀତ ବହୁବିବାହ ଉପରେ ରୋକ୍‌ ଲଗାଯାଇଛି।

୬- ପୁଅ ୨୧ ଓ ଝିଅ ୧୮ ବର୍ଷ ପୂର୍ବରୁ ବିବାହ ହୋଇପାରିବନି: ସମସ୍ତ ଧର୍ମର ନାଗରିକ ନିଜ ନିଜର ରୀତିନୀତି ଅନୁସାରେ ବିବାହ କରିପାରିବେ। କିନ୍ତୁ ପୁଅମାନେ ୨୧ ବର୍ଷ ଏବଂ ଝିଅମାନେ ୧୮ ବର୍ଷ ଆଗରୁ ବିବାହ କରିପାରିବେ ନାହିଁ। ମୁସଲମାନ ସମ୍ପ୍ରଦାୟର ଝିଅମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହୋଇଛି।

୭- ଅନ୍ୟ ଧର୍ମର ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ନାହିଁ: ସମସ୍ତ ଧର୍ମର ବ୍ୟକ୍ତିବିଶେଷ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। କିନ୍ତୁ ଗୋଟିଏ ଧର୍ମର ବ୍ୟକ୍ତି ଅନ୍ୟ ଧର୍ମର ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ନାହିଁ।

୮- ଅନୁସୂଚିତ ଜନଜାତିଙ୍କ ପାଇଁ ଲାଗୁ ହେବନି ୟୁସିସି: ସମ୍ବିଧାନର ଅନୁଚ୍ଛେଦ ୩୪୨ ଅନୁସାରେ ବର୍ଣ୍ଣିତ ଅନୁସୂଚିତ ଜନଜାତିମାନଙ୍କ ଲାଗି ୟୁସିସି ଲାଗୁ ହେବନାହିଁ। ଯାହାଫଳରେ ସେହି ଜନଜାତିମାନଙ୍କ ରୀତିନୀତି ଓ ପରମ୍ପରାର ସଂରକ୍ଷଣ କରାଯାଇପାରିବ। ଏହା ବ୍ୟତୀତ କିନ୍ନରମାନଙ୍କ ପରମ୍ପରାରେ ମଧ୍ୟ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ।

Breaking News