Report Card Odisha

| Daily Odia News

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌, ପୋଲିସ ଦେଖଣାହାରୀ ସାଜିଲା…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ଉପରେ ଓ ନିଷିଦ୍ଧାଞ୍ଚଳରେ ପୁଣିଥରେ ଉଡ଼ିଛି ଡ୍ରୋନ୍। ପ୍ରାୟ ୨୫ ମିନିଟ୍ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ପରିକ୍ରମା ମାର୍ଗ ଉପରଭାଗରେ ପଇଁତରା ମାରିଛି ଏହି ଡ୍ରୋନ୍। ପୋଲିସ ଏହା ଦେଖିଥିଲେ ବି ଅସହାୟତା ପ୍ରକାଶ କରିଛି। ଏହାକୁ ଧରିବା ଓ ଠାବ କରିବା ପାଇଁ କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ ପୁରୀ ପୋଲିସ ପାଖରେ ନ ଥିବାରୁ କେବଳ ଉଡ଼ୁଥିବା ଦେଖିଛି, କିନ୍ତୁ ଧରିପାରିନି। ମଙ୍ଗଳବାର ବିଳମ୍ବିତ ରାତି ସୁଦ୍ଧା ଏହି ଡ୍ରୋନ୍‌ କିଏ ଉଡ଼ାଉଥିଲା | କେଉଁଠୁ ଏହାକୁ ନିୟନ୍ତ୍ରଣ କରାଯାଉଥିଲା, କିଛି ସୂଚନା ପୋଲିସ ପାଖରେ ନାହିଁ। ଗତ ଜାନୁଆରି ୫ ତାରିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା ଉପରୁ ଅଦ୍ୟାବଧି ପରଦା ହଟାଇ ପାରିନି ପୁଲିସ। ଶ୍ରୀମନ୍ଦିର ଗର୍ଭଗୃହ, ରତ୍ନ ସିଂହାସନ, ରତ୍ନଭଣ୍ଡାର ଓ ଭିତର ବେଢ଼ାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ ପୁଲିସ ଧରିପାରିନି। ସଂପୃକ୍ତ ସେବାୟତଙ୍କୁ ବି ଥାନାକୁ ଆଣି ଥରଟିଏ ପଚରାଉଚରା କରିନି। ଏଭଳି ସ୍ଥିତିରେ ଆଜି ପୁଣି ଏକ ଡ୍ରୋନ୍‌ ଶ୍ରୀମନ୍ଦିର ଉପରେ ଉଡ଼ିବା ସହ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ଭିଡିଓ ଓ ଫଟୋ ଉତ୍ତୋଳନ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସନ୍ଧ୍ୟାରେ ଏହି ଡ୍ରୋନ୍‌ ହଠାତ୍‌ ପଶ୍ଚିମଦ୍ବାର ପାର୍ଶ୍ବରୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା। ଏକାଧିକ ଥର ଶ୍ରୀମନ୍ଦିର ଉପରେ ଚକ୍କର କାଟିଥିଲା। ନୀଳଚକ୍ର ଭିତର ବେଢ଼ାରେ ଥିବା ମନ୍ଦିର ସବୁର ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ମଝିରେ ମଝିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବି ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜାଣି ସେଠାରେ ଉପସ୍ଥିତ ସେବକ ଓ ଭକ୍ତମାନେ ପୋଲିସ କୁ ଖବର ଦେଇଥିଲେ। କିନ୍ତୁ ପୋଲିସ ଦେଖଣାହାରୀ ସାଜିଥିଲା।

Breaking News