ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ଲାଞ୍ଚ ନେଇ ଧରା ପଡିଲେ ଏଏସଆଇ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଟଙ୍କା ଗ୍ରହଣ କରିବା ଅଭିଯୋଗରେ ଅଟକ ରଖିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ । ଏହା ସହିତ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଏବେ ଅଧିକ ଯାଞ୍ଚ ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ବି ଆରମ୍ଭ କରି ଦେଇଛି । ଭିଜିଲାନ୍ସର ତଥ୍ୟ ଅନୁସାରେ ବୀରମହାରାଜପୁର ଥାନା ଅତିରିକ୍ତ ପୋଲିସ ସବ୍ ଇନ୍ସପେକ୍ଟର ବୁଦୁ ଭୋଇ ଏକ ଗାଡି ଧକ୍କା ମାମଲାରେ ଅଭିଯୋଗକାରୀଙ୍କୁ ତାଙ୍କ ଦୁଇ ଚକିଆ ଗାଡି ମୁକୁଳାଇବା ପାଇଁ ଦୀର୍ଘ ଏକ ମାସ ହେବ ଥାନାକୁ ଦଉଡାଇ ଚାଲିଥିଲେ । ଏହା ସହ ମାତ୍ରାଧିକ ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ଏତେ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ, ତାଙ୍କୁ ଥାନାକୁ ଡକାଇ ମାନସିକ ନିର୍ଯ୍ୟାତନା ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସରେ ଜଣାଇଥିଲେ । ଏହା ପରେ ଭିଜିଲାନ୍ସର ଯୋଜନା ଅନୁସାରେ ପୀଡିତ ଜଣକ ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଏବଂ ଭିଜିଲାନ୍ସ ଶ୍ରୀଭୋଇଙ୍କୁ ଟଙ୍କା ଗ୍ରହଣ କରିବା ଅବସ୍ଥାରେ ଧରିବା ପାଇଁ ଯୋଜନା କରିଥିଲା । ଆଜି ଦିନ ୧୨ଟା ସମୟରେ ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଏଏସଆଇ ବୁଦୁ ଭୋଇ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି । ସଂପୂଣ୍ଣ ଲାଞ୍ଚ ଟଙ୍କା ଜବତ ସହ ଅଧିକ ତଦନ୍ତ ଚଲାଇଛି ଦୁର୍ନୀତି ନିବାରଣ ସଂସ୍ଥା ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……