ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏଥିପାଇଁ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ ହୋଇଛି ବୋଲି ପୋଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ବୁଧବାର ପୋଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ପୋଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ ମଧ୍ୟ ରହିଥିଲେ। ଉପାୟୁକ୍ତ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ରହିବ ଏହି ସୁରକ୍ଷା ବ୍ୟବସ୍ଥା। ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ। ୮ ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ୧୦୦ରୁ ଅଧିକ ପୋଲିସ କର୍ମଚାରୀ ସାମିଲ ହେବେ। ସିସିଟିଭି ନଜରରେ ରହିବ ବିଧାନସଭା। ରାଲି ଓ ଧାରଣାକୁ ଦୃଷ୍ଟିରେ ରଖି ୫ ପୋଲିସ ନିୟନ୍ତ୍ରଣ କକ୍ଷ ଖୋଲିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପନ୍ସ ଦଳ, ସ୍ପେଶାଲ ଟେକ୍ନିକାଲ ୟୁନିଟ ମୁତୟନ ରହିବେ। ବିଧାନସଭା ବେଳେ ଏକାଧିକ ସଂଗଠନ ବିକ୍ଷୋଭ କରିବେ। ଏହାକୁ ନଜରରେ ରଖି ପୋଲିସ ବିକ୍ଷୋଭସ୍ଥଳରେ ଡ୍ରୋନ ଉଡ଼ାଇବ। ବିଧାନସଭାର ସୁରକ୍ଷାକୁ ଦୃଷ୍ଟିରେ ରଖି ଡ୍ରୋନର ସହାୟତା ନିଆଯିବ। ଅଧିବେଶନକୁ ଦୃଷ୍ଟିରେ ରଖି ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ପ୍ରବେଶ ଓ ପ୍ରସ୍ଥାନ ଛକରେ ଗାଡ଼ି ମୋଟର ଯାଞ୍ଚକୁ ପୋଲିସ ଗୁରୁତ୍ବ ଦେଇଛି। ହୋଟେଲ ଏବଂ ଲଜ୍ରେ ତନଖି କରୁଛି ପୋଲିସ । କମିସନରେଟ ପୋଲିସ ପୂରା ଭୁବନେଶ୍ବରକୁ ନାକାବନ୍ଦୀ କରିଛି। ବିଧାନସଭା ସମୟରେ ବିଭିନ୍ନ ସଂଗଠନର ବିକ୍ଷୋଭ ଓ ଆତ୍ମାହୁତି ଉଦ୍ୟମ ପୋଲିସ ପାଇଁ ଚିନ୍ତାର କାରଣ ହୋଇପାରେ। ଏଥିଲାଗି ଗୁଇନ୍ଦା କର୍ମଚାରୀ ସହରରେ ଘୂରି ବୁଲିବେ। ସାଦା ପୋଷାକଧାରୀ ପୋଲିସ ପଇଁତରା ମାରୁଛି। ଗାଡ଼ି ମୋଟର ଚଳାଚଳ ଉପରେ ମଧ୍ୟ ପୋଲିସ କଟକଣା ଜାରି କରିଛି। ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ଉପରେ କଟକଣା ରହିଛି। ଏଥିଲାଗି ଗାଡ଼ିର ଗତିପଥରେ ପରିବର୍ତ୍ତନ କରାଯାଇଛି। ରାତି ୧୧ଟା ବାଜିେଲେ ପୋଲିସ ବୁଲି ବୁଲି ଦୋକାନ ବଜାର ବନ୍ଦ କରିବା ପାଇଁ ତାଗିଦ କରୁଛି। ୨୪ ଘଣ୍ଟା ସଜାଗ ରହିବାକୁ ସମସ୍ତ ଥାନା କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି।
More Stories
ହଟିଲା ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା……
ହୋଲି ପାଇଁ ଆସିଲା ଗାଇଡ୍ଲାଇନ୍…..
ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ……