ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବିଜେଡି ସରକାରର ପରାଜୟ ପରେ ଜଣକ ପରେ ଜଣେ ନେତା ଦଳ ବଦଳାଉଛନ୍ତି। ବର୍ତ୍ତମାନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ନିଜେ ସନାତନ ଏହାକୁ ଖଣ୍ଡନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନାଙ୍କୁ ତାଗିଦ କରିବା ପରେ ସେ କହିଛନ୍ତି, ମୁଁ ବିଜେଡି ସହିତ ଅଛି ଆଉ ରହିବି ମଧ୍ୟ। କିନ୍ତୁ ନବୀନ ତାଙ୍କୁ ତାଗିଦ କରି ନ ଥିବା ସନାତନ କହିଛନ୍ତି। ଗୁରୁବାର ବିଧାନସଭାରେ ପ୍ରବେଶ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବିଧାୟକ ସନାତନ ମହାକୁଡ଼ ମୁହାଁମୁହିଁ ହୋଇଥିଲେ। ସନାତନ ଦଳର କେତେକ ବୈଠକରେ ଯୋଗଦେଉ ନ ଥିବାରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ନବୀନ ସନାଙ୍କୁ ଦେଖିବା ପରେ ତାଙ୍କ ସହ କଥା ହୋଇଥିଲେ। ବୈଠକକୁ କାହିଁକି ଆସୁନ ବୋଲି ପଚାରିଥିଲେ। ସନାତନ ଉତ୍ତରରେ କହିଥିଲେ ଦେହ ଖରାପ ଅଛି। ନବୀନ ତାଙ୍କୁ ବିଜେପିକୁ ଯାଉଥିବା କଥା ବି ପଚାରିଥିଲେ। ସନାତନ ମନା କରିଥିଲେ। ତେବେ ନବୀନ ଏବଂ ସନାତନଙ୍କ ଏହି ବାର୍ତ୍ତାଳାପ କିଛି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ବେଶ ଚର୍ଚ୍ଚା ଜୋରି ଧରିଛି। ଅନ୍ୟପଟେ ନବୀନଙ୍କ ଏପରି ତାଗିଦ ପରେ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ବିଜେଡିରେ ଅଛନ୍ତି ଏବଂ ରହିବେ ମଧ୍ୟ। ସେ ଦଳଠାରୁ ଦୂରେଇ ନାହାନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଉଛନ୍ତି ଏବଂ ଅଞ୍ଚଳର ବିକାଶ କଥା ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ନୁହନ୍ତି। ନବୀନ ଦଳର ସଭାପତି, ତାଙ୍କର ପ୍ରଶ୍ନ କରିବାର ଅଧିକାର ରହିଛି ବୋଲି ସନା କହିଥିଲେ। ଅନ୍ୟପଟେ ନବୀନ ସନାଙ୍କୁ ବିଜେପିକୁ ଯାଉଛ ବୋଲି ପଚାରିବା କଥାକୁ ସନାତନ ଅସ୍ବୀକାର କରିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……