ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ନୂଆ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଜଟିଳ ସ୍ଥିତିରିଛି। ଏନେଇ ବିଜେପିର ବରିଷ୍ଠ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ଚାଲିଥିବା ବେଳେ କୁକି ଓ ମୈତେୟୀ ସମ୍ପ୍ରଦାୟ ପାଇଁ ଗ୍ରହଣୀୟ ସର୍ବସମ୍ମତ ପ୍ରାର୍ଥୀ ଭାବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ହୋଇପାରୁ ନାହିଁ। ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଜାନୁଆରି ୨୪ ତାରିଖରେ ରାଜ୍ୟ ବିଧାନସଭା ଡାକିବାକୁ ଯେଉଁ ଆଦେଶ ଦେଇଥିଲେ ତାହା ପ୍ରତ୍ୟାହାର କରିଛନ୍ତି, ଯାହା ଘଟଣାକୁ ଆହୁରି ଜଟିଳ କରିଛି। କାରଣ ନୂଆ ବିଧାନସଭା ଅଧିବେଶନ ଡାକିବା ପାଇଁ ୬ ମାସର ବାଧ୍ୟତାମୂଳକ ବ୍ୟବଧାନ ଶେଷ ହେବାକୁ ଯାଉଛି, ଯାହା ରାଜ୍ୟକୁ ଆହୁରି ରାଜନୈତିକ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ବିଜେପିର ଉତ୍ତର-ପୂର୍ବ ପ୍ରଭାରୀ ସମ୍ବିତ ପାତ୍ର ବିଧାୟକ, ମନ୍ତ୍ରୀ ଓ ବିଜେପି ନେତାଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଉଛନ୍ତି। ମଙ୍ଗଳବାର ପାତ୍ର ବିଜେପିର ସହଯୋଗୀ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍ପିଏଫ୍)ର ନେତାମାନଙ୍କୁ ଭେଟିଥିଲେ ଏବଂ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ଅଛନ୍ତି। ବିଜେପିର ଜଣେ ବରିଷ୍ଠ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ରାଜ୍ୟ ବିଧାନସଭା ବାଚସ୍ପତି ଥୋକ୍ଚୋମ୍ ସତ୍ୟବ୍ରତ ସିଂହ ମନ୍ତ୍ରୀ ୟୁମ୍ନାମ ଖେମଚାନ୍ଦ ସିଂହ, ଟି ବିଶ୍ୱଜିତ୍ ଓ ଗୋବିନ୍ଦସ କୋନ୍ଥୌଜାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ତେବେ କୁକି-ଜୋ-ହମାର ଓ ନାଗା ଏବଂ ସଂଖ୍ୟାଗରିଷ୍ଠ ଅଣ-ଆଦିବାସୀ ମୈତେୟୀ ସମ୍ପ୍ରଦାୟ କେତେକ ନାମକୁ ନେଇ ସହମତି ପ୍ରକାଶ କରୁନଥିବାରୁ ଅଚଳାବସ୍ଥା ଜାରି ରହିଛି। ପାଖାପାଖି ୮ ବର୍ଷ କ୍ଷମତାରେ ରହିବା ପରେ ବୀରେନ ସିଂହ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ ଜାରି ରହିଛି। ରବିବାର ମଣିପୁର ରାଜ୍ୟପାଳ ବିଧାନସଭାର ଅଧିବେଶନ ଡାକିବା ପାଇଁ ପୂର୍ବ ଆଦେଶ (ତାରିଖ ୨୪ ଜାନୁଆରି ୨୦୨୫)କୁ ତୁରନ୍ତ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମଣିପୁର ବିଧାନସଭାର ସାମ୍ବିଧାନିକ ଭାବେ ନିର୍ଦ୍ଧାରିତ ଅଧିବେଶନର ଆଜି ଶେଷ ଦିନ ହୋଇଥିଲେ ମଧ୍ୟ ଅଧିବେଶନ ଡାକିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ରାଜ୍ୟ ବିଜେପିର କେତେକ ବରିଷ୍ଠ ନେତା କହିଛନ୍ତି ଯେ ଖୁବ୍ଶୀଘ୍ର ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ଏବଂ କୌଣସି ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବନାହିଁ।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..