ରିପୋର୍ଟ କାର୍ଡ / ଭୁବନେଶ୍ୱର
୯ ମାସ ପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟିଛି | ଶନିବାର ସୁର କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ପଶିଛନ୍ତି। ଏହି ସମୟରେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ। ଭାବବିହ୍ବଳ ହୋଇ ସୁର କାନ୍ଦି ପକାଇଛନ୍ତି। ନିଲମ୍ବନ ହଟିବା ନିଷ୍ପତ୍ତି ପରେ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତି ଏବଂ ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ସୁର କହିଛନ୍ତି, ୯ ମାସ ବହୁତ ଯନ୍ତ୍ରଣାରେ ଥିଲି । କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ। ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି। ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଦସ୍ତଖତରେ ଶୁକ୍ରବାର ଏକ ପ୍ରେସ ରିଲିଜ ଜାରି ହୋଇଛି । ଏହି ପ୍ରେସ ରିଲିଜ ମାଧ୍ୟମରେ ଶ୍ରୀ ଦାସ କଂଗ୍ରେସର ପୁରୁଣା କର୍ମୀ ଓ ନେତାମାନଙ୍କୁ ପୁଣିଥରେ ଦଳରେ ସ୍ବାଗତ କରିଛନ୍ତି । ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନାକୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡି ଚାଲି ଯାଇଛନ୍ତି ସେମାନେ ପୁଣିଥରେ କଂଗ୍ରେସକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ବାଗତ କରାଯିବ ।






More Stories
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..
ଯୁକ୍ତ ୨ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମାବଳୀ…..