Report Card Odisha

| Daily Odia News

୨୭ରେ ବିଧାନସଭା ଘେରିବ କଂଗ୍ରେସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ନାରୀ ନିର୍ଯାତନା ଘଟଣା ବୃଦ୍ଧିକୁ ନେଇ କଂଗ୍ରେସର ସ୍ବର ଉଠାଇଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପର୍ଯ୍ୟନ୍ତ ନିଲମ୍ବନ କରିବା ପରେ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି। ଏଥିନେଇ ବୁଧବାର କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସର ବହୁ ବରିଷ୍ଠ ନେତା ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଧାୟକ ଶ୍ରୀ ବାହିନୀପତିଙ୍କ ନିଲମ୍ବନର ପ୍ରତିବାଦ ଏବଂ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୭ରେ କଂଗ୍ରେସ ବିଧାନସଭା ଘେରାଉ କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ବାହିନୀପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ କଂଗ୍ରେସ ବିଧାୟକମାନେ ବିଧାନସଭାକୁ ଯିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ କଂଗ୍ରେସକୁ ଅଧିକ ମଜବୁତ କରିବା, ତୃଣମୂଳସ୍ତରରେ କର୍ମୀଙ୍କୁ କ୍ରିୟାଶୀଳ କରିବା, ପଞ୍ଚାୟତ ନିର୍ବାଚନ ସହ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ମହିଳା ନିର୍ଯାତନା ବିରୋଧରେ କଂଗ୍ରେସ ୨୭ରେ ବିଧାନସଭା ଘେରାଉ କରିବ। ସରକାର ଲାଠି ଚଲାନ୍ତୁ କିମ୍ବା ବିଧାୟକଙ୍କୁ ଜେଲ ପଠାନ୍ତୁ। କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପିର ୮ମାସର ସରକାର ସମୟରେ ମହିଳା ବିରୋଧୀ ହିଂସା ବ୍ୟାପକ ହୋଇଛି। ୧୮ହଜାର ମହିଳା ନିର୍ଯାତନାର ଶିକାର ହେଲେଣି। ଏ ସମ୍ପର୍କରେ ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଥିଲୁ। ସରକାର ଜବାବ ଦେବା ବଦଳରେ ଗତକାଲି ବିଧାନସଭାରେ ଲୋକତନ୍ତ୍ରର କଳା ଅଧ୍ୟାୟ ରଚନା କଲେ। ପବିତ୍ର ଗୃହରେ ଶାସକ ଦଳ ମନ୍ତ୍ରୀ ଓ ବିଧାୟକମାନେ ଅଶାଳୀନ ଭାଷା ପ୍ରୟୋଗ କଲେ। ବାଚସ୍ପତି କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କଲେ ବୋଲି ଅଭିଯୋଗ ଉଠାଇ କଂଗ୍ରେସ ବୈଠକରେ ଏଥିନେଇ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ସେ କହିଲେ, ବିଜେପିର ଚିତ୍ର ଏବଂ ଚରିତ୍ର ଏବେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିଯାଇଛି। ରାଜ୍ୟରେ ୨୫ବର୍ଷ ଶାସନ କାଳରେ ବିଜେଡି ରାଜ୍ୟର ଉନ୍ନତି କରିପାରିଲାନି। ଓଡ଼ିଶା ହେଉଛି ମାଆ ସୁଭଦ୍ରାଙ୍କ ମାଟି। ଏଠି ଘରେ ଘରେ ମାଆ ସୁଭଦ୍ରାଙ୍କ ପୂଜା କରାଯାଏ। ସରକାର ଉତ୍ତର ଦିଅନ୍ତୁ, କେବେ ଓଡ଼ିଶାର ଘରେ ଘରେ ନିଖୋଜ ହୋଇଥିବା ସୁଭଦ୍ରାଙ୍କୁ ଫେରାଇ ଆଣିବେ। ବୈଠକରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ପ୍ରଦେଶ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Breaking News