ରିପୋର୍ଟ କାର୍ଡ / କଟକ
ଆଜିଠୁ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ। ଏଥିଲାଗି ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୧୦ ଟାରୁ ଖାତା ଦେଖା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ଖାତା ଦେଖିବା ସମୟରେ ଉକ୍ତ କେନ୍ଦ୍ରର କ୍ୟାମ୍ପସ ବାହାରକୁ ଯାଇପାରିବେ ନାହିଁ। ଏଥିସହ ମୋବାଇଲ ପ୍ରବେଶ ଉପରେ କଟକଣା ଲଗାଯାଇଛି। କୌଣସି କେନ୍ଦ୍ରରେ ନିୟମ ଉଲ୍ଲଘଂନ ହେଉଥିବା ନଜର ଆସିଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ତ୍ରୁଟିଶୂନ୍ୟ ମୂଲ୍ୟାୟନ ଓ ସ୍ବଚ୍ଛତା କ୍ଷେତ୍ରରେ ସମସ୍ତ ପଦକ୍ଷେପ ନିଆଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ୧୧,୮୦୦ ଶିକ୍ଷକ-ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ଖାତା ଦେଖାରେ ନିୟୋଜିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସକାଳ ୧୦ା ସୁଦ୍ଧା ସେମାନଙ୍କୁ ଦାୟିତ୍ବ ଦିଆଯାଇଥିବା କେନ୍ଦ୍ରରେ ପହଞ୍ଚିବେ। ବିଭିନ୍ନ ଜିଲାରେ ଜିଲା ଶିକ୍ଷାଧିକାରୀ ମୂଲ୍ୟାୟନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷଭାବେ ତଦାରଖ କରୁଛନ୍ତି। ଖାତାଦେଖା ଲାଗି ପ୍ରତ୍ୟେକ ୟୁନିଟ୍ରେ ଜଣେ ପ୍ରମୁଖ ନିରୀକ୍ଷକ, ଦୁଇଜଣ ଉପ ନିରୀକ୍ଷକ, ଦୁଇ ତଦାରଖକାରୀ, ତଦାରଖ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସୁପରଭାଇଜର ନିୟୋଜିତ କରାଯାଇଥିବା ବେଳେ ବୋର୍ଡ ପକ୍ଷରୁ ଜଣେ କ୍ୟାମ୍ପ ଅଫିସର ଦାୟିତ୍ବରେ ରହିଛନ୍ତି। ଖରାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କେନ୍ଦ୍ର ଲାଗି ୧୦ରୁ ଅଧିକ ମୂଲ୍ୟାୟନକାରୀଙ୍କୁ ଅତିରିକ୍ତ ରଖାଯାଇଛି। ଆବଶ୍ୟକସ୍ଥଳେ ସେମାନେ ମୂଲ୍ୟାୟନ କରିବେ। ଅନ୍ୟପକ୍ଷେ ମୂଲ୍ୟାୟନକାରୀ ପ୍ରତ୍ୟେକ ସବ୍ଜେକ୍ଟିିଭ୍ ପ୍ରଶ୍ନର ନିର୍ଦ୍ଧିଷ୍ଟ ଏକ ଉତ୍ତର ହିସାବରେ ମୂଲ୍ୟାୟନ କରିବେ। ପ୍ରତିଦିନ ମୂଲ୍ୟାୟନ ପରେ ନମ୍ବର ଅନ୍ଲାଇନ୍ରେ ଅପ୍ଲେଡ କରାଯିବ। ଏଥିଲାଗି ବୋର୍ଡ ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ବ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି। ନମ୍ବର ଏଣ୍ଟ୍ରି ସମୟରେ ଯେପରି ତ୍ରୁଟି ନ ରୁହେ, ଏଥିପ୍ରତି ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରାୟ ୧୨ରୁ ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ରାଜ୍ୟର ମୋଟ ୫,୨୨,୩୩୬ ପରୀକ୍ଷାର୍ଥୀ ଦଶମ ବାର୍ଷିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ସେଥିମଧ୍ୟରୁ ୧୫ ହଜାରରୁ ଊର୍ଦ୍ଧ୍ବ ଅନୁପସ୍ଥିତ ଥିବା ଜଣାପଡ଼ିଛି।






More Stories
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ;ଦାବି ପୁରଣ ନହେଲେ ଆନ୍ଦୋଳନ…..
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..