ରିପୋର୍ଟ କାର୍ଡ / ନୟାଗଡ଼
ପ୍ରଥମେ ପ୍ରେମିକା ସହ ଯୁକ୍ତିତର୍କ, ତା’ ପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ। ଜଳୁଥିବା ଯୁବକ ଙ୍କୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ତାଙ୍କ ଶରୀରର ୮୦ ପ୍ରତିଶତ ଜଳି ଯାଇଛି। ଏମିତି ଏକ ଲୋମଟାଙ୍କୁରା ଘଟଣା ଇଟାମାଟି ଥାନା ଅଧୀନ ଲାଠିପଡ଼ା ତଳସାହିରେ ଘଟିଛି। କଟକ ଜିଲ୍ଲା କିଶନନଗର ଥାନା ଅଧୀନ ଯାଞ୍ଚପଡ଼ା ଗାଁର ଲିଟୁଆ ଦାସଙ୍କ ସହ ଲାଠିପଡ଼ା ତଳସାହିର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଚାରି ବର୍ଷ ହେଲା ଏମାନେ ପ୍ରେମ ସମ୍ପର୍କରେ ଥିଲେ। ମାତ୍ର କିଛି ଦିନ ହେଲା ଯୁବତୀ ଜଣକ ଲିଟୁଆଙ୍କ ସହ ଆଉ ସଂପର୍କ ରଖିନଥିଲେ। ଫଳରେ ଲିଟୁଆ ଆଜି ସକାଳୁ ପ୍ରେମିକା ଘରେ ପହଞ୍ଚିଥିଲେ। କାହିଁକି ଫୋନ୍ ଉଠାଉ ନାହାନ୍ତି ଓ କଥା ହେଉନାହାନ୍ତି ବୋଲି ସେ ଯୁବତୀଙ୍କୁ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏମିତିକି ଯୁବତୀଙ୍କ ବଡ଼ ଭଉଣୀ ଆସି ଲିଟୁଆଙ୍କୁ ଗାଳିଗୁଲଜ କରିଥିଲେ। ଯୁବତୀ ଜଣକ ସମ୍ପର୍କ କାଟିଦେଲେ ଆତ୍ମହତ୍ୟା କରିବ ବୋଲି ଲିଟୁଆ ଧମକ ଦେଇଥିଲେ। ଯୁବତୀ ଓ ତାଙ୍କ ଭଉଣୀ, ‘‘ଯାଅ ଆତ୍ମହତ୍ୟା କରିଦିଅ’’ ବୋଲି କହିଥିଲେ। ଏତିକି କଥାରେ ଲିଟୁଆ ସାଥୀରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..