ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆସନ ନିର୍ଦ୍ଧାରଣ ପାଇଁ ଜନଂସଖ୍ୟା ଏକ ମାନଦଣ୍ଡ ନ ହେଉ ବୋଲି ନବୀନ କହିଛନ୍ତି। ତାମିଲନାଡୁର ଚେନ୍ନଇରେ ଏ ନେଇ ଆହୁତ ଗୁରୁତ୍ଵପୂର୍ଣ୍ଣ ବୈଠକକୁ ଏକ ଭିଡିଓ ବାର୍ତ୍ତା ପଠାଇ ନବୀନ ଏହା କହିଛନ୍ତି। କେନ୍ଦ୍ର ସରକାର ଜନସଂଖ୍ୟା ଆଧାରରେ ସଂସଦୀୟ କ୍ଷେତ୍ରଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରିବାକୁ ଯୋଜନା ରଖିଛନ୍ତି। ଏହାକୁ ବିଭିନ୍ନ ରାଜ୍ୟ ବିଶେଷ କରି ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ପକ୍ଷରୁ ବିରୋଧ କରାଯାଉଛି। ଏହା ବିରୋଧରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ଦ୍ବାରା ଏକ ବୈଠକ ଡକାଯାଇଛି। ମିଳିତି କ୍ରିୟାନୁଷ୍ଠାନ କମିଟି ବୈଠକରେ ବିଭିନ୍ନ ରାଜ୍ୟରୁ କଂଗ୍ରେସ ସମେତ ଅନ୍ୟାନ୍ୟ ଆଞ୍ଚଳିତ ଦଳର ନେତାମାନେ ଯୋଗଦେଇଛନ୍ତି। ଓଡ଼ିଶାରୁ ଦୁଇ ବିଜେଡି ନେତାଙ୍କ ସମେତ କଂଗ୍ରେସ ସଭାପତି ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ଶନିବାର ଚେନ୍ନଇରେ ବୈଠକ ଚାଲିଥିବା ସମୟରେ ନବୀନ ଏକ ଭିଡିଓ ବାର୍ତ୍ତା ପଠାଇଥିଲେ। ଯେଉଁଥିରେ ସେ କହିଛନ୍ତି, ଦେଶର ବିକାଶରେ ଜନସଂଖ୍ୟା ନିୟନ୍ତ୍ରଣ ଏକ ଗୁରୁତ୍ଵପୂର୍ଣ୍ଣ ଜାତୀୟ ଏଜେଣ୍ଡା। ତେଣୁ ସୀମା ନିର୍ଦ୍ଧାରଣରେ ଜନସଂଖ୍ୟା ଏକ ମାନଦଣ୍ଡ ନ ହେଉ। ଜନସଂଖ୍ୟା ଆଧାରରେ ଆସନ ନିର୍ଦ୍ଧାରଣ କରିବା ଜନସଂଖ୍ୟା ହ୍ରାସ ଦିଗରେ କାର୍ଯ୍ୟ କରିଥିବା ରାଜ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବ। କେନ୍ଦ୍ର ସରକାର ସବୁ ଦଳ ସହିତ ବିସ୍ତୃତ ଆଲୋଚନା କରି ନିଷ୍ପତ୍ତି ନେବାକୁ ନବୀନ ପରାମର୍ଶ ଦେଇଛନ୍ତି। ଏହା ସହିତ ବୈଠକ ଆୟୋଜନ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..